ଏଣିକି କଳାବଜାରକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କୋଭିଡ୍‌-୧୯ର ତାଲା ବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରକାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି କୋଭିଡ୍‌-୧୯ର ଦ୍ବିତୀୟ ଲହର ଯୋଗୁ ସାରା ରାଜ୍ୟରେ ଲକ୍‌ଡାଉନ ଏବଂ ସପ୍ତାହାନ୍ତ ଶଟ୍‌ଡାଉନ ବଳବତ୍ତର ରହିଥିବା ବେଳେ ମେ ୨୬ ତାରିଖରେ ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା: ଚାଉଳ, ଅଟା, ଡାଲି, ଖାଇବାତେଲ, ଆଳୁ, ପିଆଜ ଇତ୍ୟାଦି କ୍ରୟ କରିବା ସମ୍ଭାବନା ରହିଛି। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର କରିବା ଆଶଙ୍କା ଦୃଷ୍ଟିରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ସ୍ବାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ଏବଂ ଏହାର ପରିବହନ ଲକ୍‌ଡାଉନ କଟକଣାରୁ ମୁକ୍ତ ରଖାଯାଇଛି। ଏପରି କ୍ଷେତ୍ରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ଭୟଭୀତ ହୋଇ ଅଧିକ ପରିମାଣରେ ଖାଦ୍ୟ ସାମଗ୍ରୀ ଆଦି ନ କିଣିବା ପାଇଁ ମନ୍ତ୍ରୀ ସ୍ବାଇଁ ଖାଉଟିମାନଙ୍କୁ ପରାମର୍ଶ ଦେଇଛନ୍ତି।

Share