ମନ ଜିଣୁଛି ବିହନ ରାଖୀ

ପୁରୁଣା ଭୁବନେଶ୍ୱର,୨୧।୮(ଡି.ଏନ୍‌.ଏ.): ଆଉ ଦିନକ ପରେ ସ୍ନେହ ଓ ଶ୍ରଦ୍ଧାର ପର୍ବ ରକ୍ଷାବନ୍ଧନ। କରୋନା ସମୟରେ ଅନେକ ଲୋକ ଜୀବିକା ହରାଇଥିବା ବେଳେ ପୋଖରୀପୁଟ ଅଞ୍ଚଳର ପରିବେଶବିତ୍‌ ସୁଶାନ୍ତ ସାହୁ ରାଖୀ ପୂର୍ଣ୍ଣମୀ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧଳାଧାନ, କଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରମଗଜ ଆଦି ବିହନ ସହ ତୁଳା, କାଠି, କାଗଜ, ନଡ଼ା, ସୂତାକୁ ବ୍ୟବହାର କରି (ଇକୋ-ଫ୍ରେଣ୍ଡଲି) ଶସ୍ତା ସ୍ବଦେଶୀ ରାଖୀ ପ୍ରସ୍ତୁତ କରି ବଜାରରେ ଉପଲବ୍ଧ କରାଇଛନ୍ତି। ବିଭିନ୍ନ ପ୍ରକାର ବିହନ, ତୁଳା, କାଠିରେ ପ୍ରସ୍ତୁତ ଭଳିକି ଭଳି ଆକର୍ଷଣୀୟ ସୁନ୍ଦର ରାଖୀ ତିଆରି କରି ପୋଖରୀପୁଟ, ପଟିଆ, ଶୈଳଶ୍ରୀ ବିହାର, ଜଟଣୀ ଅଞ୍ଚଳକୁ ବିକ୍ରି ପାଇଁ ପଠାଇଛନ୍ତି। ଏହି ରାଖୀଗୁଡ଼ିକ ୨୫ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଦୁଇମାସ ମଧ୍ୟରେ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ରାଖୀ ତିଆରି କରାଯାଇଥିବା ଜଣାପଡ଼ିଛି। ସ୍ବଦେଶୀ ଓ ପରିବେଶକୁ ସହୁଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏକ ନୀରବ ଆନ୍ଦୋଳନ ଗଢି ତୋଳିବାର ଆଭିମୁଖ୍ୟ ସହ ରାଖୀ ମାଟି ସହ ମଣିଷର ସବୁଜିମାର ସମ୍ପର୍କ ଯୋଡ଼ିବାର ଏକ ପ୍ରୟାସ ବୋଲି ସୁଶାନ୍ତ କହିଛନ୍ତି।

Share