
ବ୍ୟାଙ୍କକ୍,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ, ତାହା ସୁନିଶ୍ଚିତ କରିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନିଆଯିବା ଉଚିତ ବୋଲି ଏକ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ କହିଛି। ସବୁ ଅଫିସରଙ୍କ ପାଇଁ ସ୍ଥାନାନ୍ତରଣ ନୀତି ରହିଆସିଥିଲେ ମଧ୍ୟ ତାହାକୁ ଆଦୌ କାର୍ଯ୍ୟକାରୀ କରାଯାଉ ନ ଥିବା କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ବିଭାଗର ସଂସଦୀୟ ସ୍ଥାୟୀ କମିଟି ଏହାର ୧୪୫ତମ ରିପୋର୍ଟରେ କହିଛି।
କେତେକ ଅଫିସରଙ୍କୁ ସେମାନଙ୍କ ପ୍ରିୟ ମନ୍ତ୍ରଣାଳୟରେ ୮ରୁ ୯ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ରଖାଯାଉଛି। ବିଭାଗୀୟ ମୁଖ୍ୟଙ୍କୁ ୪/୫ ଥର ପରିବର୍ତ୍ତନ କରାଯିବା ସତ୍ତ୍ୱେ ଅର୍ଥ ଏବଂ ଅନ୍ୟ ସମ୍ବେଦନଶୀଳ ମନ୍ତ୍ରଣାଳୟରେ ଅଫିସରମାନେ ଦୀର୍ଘଦିନ ରହିଯାଉଛନ୍ତି। ଏପରିକି କେତେଜଣ ଅଫିସରଙ୍କ ସମୁଦାୟ କ୍ୟାରିୟର ଗୋଟିଏ ମନ୍ତ୍ରଣାଳୟରେ କଟିଯାଉଛି। ବିଳମ୍ବ ନ କରି ଏଭଳି ତ୍ରୁଟି ସୁଧାରିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍ଏସ୍), କେନ୍ଦ୍ରୀୟ ସଚିବାଳୟ ଷ୍ଟେନୋଗ୍ରାଫର ସେବା(ସିଏସ୍ଏସ୍ଏସ୍)ର କାର୍ଯ୍ୟ ସମୀକ୍ଷା କଲାବେଳେ ଏହା କମିଟିର ଦୃଷ୍ଟିକୁ ଆସିଥିଲା।