Advertisement

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ, ତାହା ସୁନିଶ୍ଚିତ କରିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନିଆଯିବା ଉଚିତ ବୋଲି ଏକ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ କହିଛି। ସବୁ ଅଫିସରଙ୍କ ପାଇଁ ସ୍ଥାନାନ୍ତରଣ ନୀତି ରହିଆସିଥିଲେ ମଧ୍ୟ ତାହାକୁ ଆଦୌ କାର୍ଯ୍ୟକାରୀ କରାଯାଉ ନ ଥିବା କାର୍ମିକ, ଜନ ଅଭିଯୋଗ, ଆଇନ ଓ ନ୍ୟାୟ ବିଭାଗର ସଂସଦୀୟ ସ୍ଥାୟୀ କମିଟି ଏହାର ୧୪୫ତମ ରିପୋର୍ଟରେ କହିଛି।

କେତେକ ଅଫିସରଙ୍କୁ ସେମାନଙ୍କ ପ୍ରିୟ ମନ୍ତ୍ରଣାଳୟରେ ୮ରୁ ୯ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ରଖାଯାଉଛି। ବିଭାଗୀୟ ମୁଖ୍ୟଙ୍କୁ ୪/୫ ଥର ପରିବର୍ତ୍ତନ କରାଯିବା ସତ୍ତ୍ୱେ ଅର୍ଥ ଏବଂ ଅନ୍ୟ ସମ୍ବେଦନଶୀଳ ମନ୍ତ୍ରଣାଳୟରେ ଅଫିସରମାନେ ଦୀର୍ଘଦିନ ରହିଯାଉଛନ୍ତି। ଏପରିକି କେତେଜଣ ଅଫିସରଙ୍କ ସମୁଦାୟ କ୍ୟାରିୟର ଗୋଟିଏ ମନ୍ତ୍ରଣାଳୟରେ କଟିଯାଉଛି। ବିଳମ୍ବ ନ କରି ଏଭଳି ତ୍ରୁଟି ସୁଧାରିବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି। କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍‌ଏସ୍‌), କେନ୍ଦ୍ରୀୟ ସଚିବାଳୟ ଷ୍ଟେନୋଗ୍ରାଫର ସେବା(ସିଏସ୍‌ଏସ୍‌ଏସ୍‌)ର କାର୍ଯ୍ୟ ସମୀକ୍ଷା କଲାବେଳେ ଏହା କମିଟିର ଦୃଷ୍ଟିକୁ ଆସିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share