Categories: ଜାତୀୟ

ଜାମିନ ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍‌ରିଓ୍ବାଲ, କହିଲେ କାରଣ…

ନୂଆଦିଲ୍ଲୀ,୨୭ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି ପାଇଁ ଦାବି କରି କେଜ୍‌ରିଓ୍ବାଲ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମକୋର୍ଟ କେଜ୍‌ରିଓ୍ବାଲଙ୍କୁ ଜୁନ୍‌ ୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଜୁନ୍‌ ୨ରେ ଆତ୍ମସମର୍ପଣ କରିବାକୁ ପଡ଼ିବ।

କେଜ୍‌ରିଓ୍ବାଲ ତାଙ୍କ ପିଟିଶନରେ ଦାବି କରିଛନ୍ତି, ଗିରଫ ପରେ ସେ ୭ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କର କିଟୋନ ସ୍ତର ମଧ୍ୟ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଏହି ଲକ୍ଷଣ ଗମ୍ଭୀର ହୋଇପାରେ। ମ୍ୟାକ୍ସର ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିଛନ୍ତି। ବର୍ତ୍ତମାନ ପିଇଟି-ସିଟି ସ୍କାନ ଏବଂ ଅନେକ ପରୀକ୍ଷା କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଆଉ ୭ ଦିନ ଜାମିନ ବଢ଼ାଇବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଟଙ୍କା ହେରଫେର ଅଭିଯୋଗରେ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା। କେଜ୍‌ରିଓ୍ବାଲ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି। ନିକଟରେ ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ କେଜ୍‌ରିଓ୍ବାଲଙ୍କୁ ମେ’୧୦ରୁ ଜୁନ୍‌ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଜୁନ୍‌ ୨ରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ଏହି ଜାମିନକୁ ଆଉ ୭ ଦିନ ବୃଦ୍ଧି କରିବାକୁ କେଜ୍‌ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share