Categories: ଜାତୀୟ

ରାଷ୍ଟ୍ରପତି ଶାସନ ଲାଗି କେଜ୍‌ରିଓ୍ବାଲ ଗିରଫ

ନୂଆଦିଲ୍ଲୀ, ୧୩।୪: ଜାତୀୟ ରାଜଧାନୀରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ବଡ଼ ଧରଣର ରାଜନୈତିକ ଷଡ଼ଯନ୍ତ୍ର ଚରୁଥିବା ଦିଲ୍ଲୀର କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ କିଛିମାସ ହେଲା ଷଡ଼ଯନ୍ତ୍ର ଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫକରି ଜେଲ ପଠାଯାଇଛି। ଆଗାମୀ ଦିନରେ ତାଙ୍କ ସରକାରର ପତନ ଘଟାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ରାଷ୍ଟ୍ରପତି ଶାସନ ଜାରି କରିବା ବେଆଇନ ଏବଂ ଜନାଦେଶ ବିରୋଧୀ ବୋଲି ଆତିଶୀ ସମାଲୋଚନା କରିଛନ୍ତି।

୧୫ ଯାଏ ସିବିଆଇ ହାଜତରେ କବିତା

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସମ୍ପୃକ୍ତି ନେଇ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ. କବିତାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସେ ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଅଧିକାରୀମାନେ କବିତାଙ୍କୁ ତିହାର ଜେଲରେ ପଚରାଉଚରା କରିବା ପରେ ତାଙ୍କୁ ଗୁରୁବାର ଗିରଫ କରିଥିଲେ। ଦିଲ୍ଲୀର ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ୧୦୦ କୋଟି ଟଙ୍କା ଲାଞ୍ଚ ପ୍ରଦାନରେ କବିତାଙ୍କ ଭୂମିକା ରହିଥିବା ସିବିଆଇ କହିଛି। ମଦ ବ୍ୟବସାୟୀମାନଙ୍କଠାରୁ ଏହି ଲାଞ୍ଚ ଅର୍ଥ ସଂଗ୍ରହ ଲାଗି ଷଡ଼ଯନ୍ତ୍ରରେ କବିତା ସାମିଲ ଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହ କବିତା ଯୋଗାଯୋଗ କରିବା ନେଇ ତାଙ୍କୁ ସାକ୍ଷାତ କରିଥିବା ଦକ୍ଷିଣ ଭାରତୀୟ ମଦ ବ୍ୟବସାୟୀ କହିଥିଲେ। ସିବିଆଇ ଏନେଇ କୋର୍ଟକୁ ଅବଗତ କରାଇବା ସହ ଅଧିକ ଜେରା ପାଇଁ ବିଆର୍‌ଏସ୍‌ ନେତ୍ରୀଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।

Share