Categories: ଜାତୀୟ

କଟା ଘା’ରେ ଚୂନ ମାରିଲେ କେଜରିଓ୍ବାଲ, ଇସାରାରେ ରାହୁଲଙ୍କୁ କହିଦେଲେ ଏମିତି…

ନୂଆଦିଲ୍ଲୀ,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ସରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍‌ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ।

ସେପଟେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କଟାକ୍ଷ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ କେଜ୍ରିୱାଲ କହିଛନ୍ତି ଯେ, ନିର୍ବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍‌ ନୁହେଁ। ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।

ସୂଚନାଯୋଗ୍ୟ, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।

ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। କଂଗ୍ରେସର ପରାଜୟ ପରେ ଏହି ବୟାନ ଏକ ଅପମାନଜନକ ପରି ଦେଖାଯାଉଛି।

Share