Categories: ଜାତୀୟ

କେଜରିଓ୍ବାଲ ଗଲେ ଜେଲ, ଇଣ୍ଡିଆ ମେଣ୍ଟରେ ବିଗିଡିଗଲା ଏଏପିର ଖେଳ

ନୂଆଦିଲ୍ଲୀ,୪।୬: ‘ଇଣ୍ଡିଆ’ ମିଳିତ ମଞ୍ଚର ପ୍ରଦର୍ଶନ ଚମତ୍କାର ଦେଖାଯାଉଛି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଇଣ୍ଡିଆ ଆଲାଏନ୍ସ ୨୩୪ ଟି ଆସନରେ ଆଗୁଆ ରହିଛି। ୨୯୨ଟି ଆସନରେ ଭାଜପା ନେତୃତ୍ୱାଧୀନ ଏନଡିଏ ଆଗୁଆ ରହିଛି।
ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ କଂଗ୍ରେସ, ସମାଜବାଦୀ ପାର୍ଟି, ତ୍ରୁଣମୂଳ କଂଗ୍ରେସ, ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାୱାର) ଭଳି ଦଳ ଆଶା କରାଯାଉଥିବା ଠାରୁ ଅଧିକ ସଫଳତା ହାସଲ କରୁଥିବା ଜଣାପଡିଛି। ଦିଲ୍ଲୀରେ ଆମ ଆଦମୀ ପାର୍ଟି ଲଗାତାର ତୃତୀୟ ଥର ପାଇଁ ଆକାଉଣ୍ଟ ଖୋଲିବାରେ ବିଫଳ ହୋଇଥିବା ଜଣାପଡିଛି। ଏଥି ସହିତ ପଞ୍ଜାବରେ ମଧ୍ୟ ଏଏପିର ପ୍ରଦର୍ଶନ ଭଲ ଦେଖାଯାଉନାହିଁ। ପଞ୍ଜାବରେ ଏଏପି କେବଳ ୩ଟି ଆସନରେ ଆଗୁଆ ରହିଥିବାବେଳେ ବିଧାନସଭା ନିର୍ବାଚନରେ ଏଏପି ହାତରେ ପରାଜୟ ପରେ କଂଗ୍ରେସ ପ୍ରତ୍ୟାବର୍ତ୍ତନ କରୁଥିବା ଜଣାପଡିଛି। କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି। ଚଣ୍ଡିଗଡ଼ ଆସନରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି।
ଇଣ୍ଡିଆ ଆଲାଏନ୍ସ ଅଧୀନରେ ଥିବା ସମସ୍ତ ଦଳ ଉପକୃତ ହୋଇଛନ୍ତି। ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଅଧିକ ଲାଭବାନ ହେଉଥିବା ଜଣାପଡିଛି। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଭାଜପାକୁ ପରାସ୍ତ କରି ୩୭ ଟି ଆସନରେ ଆଗୁଆ ରହିଛି। ୩୨ଟି ଆସନରେ ଭାଜପା ଆଗୁଆ ରହିଛି। କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି।

Share