Categories: ଜାତୀୟ

ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରସଙ୍ଗରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିର ପରଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏହି ସମୟରେ କେଜ୍‌ରିଓ୍ବାଲ ସେବା ସଚିବଙ୍କ ସ୍ଥାନାନ୍ତର ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉଠାଇଛନ୍ତି ଏବଂ କହିଛନ୍ତି ଯେ କେନ୍ଦ୍ର ସରକାର ସଚିବଙ୍କ ସ୍ଥାନାନ୍ତରରେ ବ୍ୟାଘତ ସୃଷ୍ଟି କରୁଛନ୍ତି। ସୁପ୍ରିମକୋର୍ଟ ଏହି ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରେ ସେ ଏହି ବେଞ୍ଚ ଗଠନ କରିବେ ବୋଲି ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି। ସେହିପରି ଦିଲ୍ଲୀ ସରକାରଙ୍କ ତରଫରୁ ଅଭିଷେକ ମନୁ ସିଂଘବି କହିଛନ୍ତି ଯେ, ଏହା ଏକ ଅବମାନନା ସହିତ ସମାନ। ଏଥିପାଇଁ ସୁପ୍ରିମକୋର୍ଟର ଏକ ବେଞ୍ଚ ଗଠନ କରାଯିବା ଉଚିତ।

ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ।

Share