Categories: ଜାତୀୟ

କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୧।୧ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି ବୋଲି ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଦିଲ୍ଲୀ ସରକାର ଏକ ଭୁଲ ଧାରଣା ସୃଷ୍ଟି କରୁଛନ୍ତି ଯେ ଉପରାଜ୍ୟପାଳ ବିବାଦୀୟ କାର୍ଯ୍ୟ କରୁଛନ୍ତି। ଯେତେବେଳେ କି ୧୯୯୨ ମସିହାରୁ ପରସ୍ପର ବିରୋଧୀ ତଥା ଭିନ୍ନ ଭିନ୍ନ ମତବାଦ ସହ ବିଭିନ୍ନ ସରକାର ରହିଥିଲେ ମଧ୍ୟ ସବୁକିଛି ଠିକ ଭାବରେ ଚାଲିଥିଲା।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଏହା ସବୁ ଧାରଣା ଏବଂ ସାମ୍ବିଧାନିକତା ନୁହେଁ। ନିର୍ବାଚିତ ସରକାରଙ୍କୁ ଅବମାନନା କରି ଉପରାଜ୍ୟପାଳ ସବୁକିଛି କରୁଛନ୍ତି ବୋଲି ଧାରଣା ଭୁଲ ଅଟେ। ଅତୀତରେ କେନ୍ଦ୍ର ଏବଂ ଦିଲ୍ଲୀରେ ଅନେକ ଘଟଣା ଘଟିଥିଲା। ବିଭିନ୍ନ ଚିନ୍ତାଧାରା ଥିବା ସରକାର ଶାସନ କରିଛନ୍ତି କିନ୍ତୁ ଏଭଳି ସମସ୍ୟା କେବେ ହୋଇ ନ ଥିଲା। ସେତେବେଳେ ରାଜନୈତିକ ପରିପକ୍ୱତା ଥିଲା। ରାଜ୍ୟ ପ୍ରଶାସନ ସୁରୁଖୁରୁରେ ଏବଂ ସୁସଂଗତ ଭାବରେ ଚାଲିଥିଲା।

 

ସେ କହିଛନ୍ତି, ୧୯୯୨ ପରଠାରୁ କେବଳ ସାତୋଟି ମାମଲା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା। ଆଇନ ଅନୁଯାୟୀ ମୋଟ ୧୮୦୦୦ ଫାଇଲ ଉପରାଜ୍ୟପାଳଙ୍କ ପାଖକୁ ଆସିଥିଲା। ସମସ୍ତ ଫାଇଲ କ୍ଲିୟର ହୋଇଯାଇଥିଲା। ଦିଲ୍ଲୀ ସରକାର ଜିଏନସିଟିଡି ଅଧିନିୟମରେ ସଂଶୋଧନ କରିଥିଲେ। ଦିଲ୍ଲୀ ସରକାର ପବନରେ ଭୁଲ ଚିନ୍ତାଧାରାର ମହଲ ତିଆରି କରୁଛନ୍ତି। ସବୁ କିଛି କଳ୍ପନାରେ ପରିପୂର୍ଣ୍ଣ ବୋଲି ସୋଲିସିଟର ଜେନେରାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କହିଛନ୍ତି।

Share