ନୂଆଦିଲ୍ଲୀ,୨୬।୪ : ଭାଜପା ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘେରିବା ଜାରି ରହିଛି। ଭାଜପା ଦାବି କରିଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନୈତିକତା ଦୃଷ୍ଟିରୁ ଏଥିପାଇଁ ମୁଖ୍ୟନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବା ଆବଶ୍ୟକ। ଏହାକୁ ବିରୋଧ କରି ଏଏପି କହିଛି ଭାଜପା ଛୋଟ ରାଜନୀତି କରୁଛି। ଏଏପି କହିଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ।
ଏହା ନବୀକରଣ ନୁହେଁ ବରଂ ପୁରୁଣା ସ୍ଥାନରେ ଏକ ନୂତନ ଢାଞ୍ଚା ନିର୍ମାଣ କରାଯାଇଛି ବୋଲି ଭାଜପା କହିଛି। ଏଥିରେ ତାଙ୍କ କ୍ୟାମ୍ପ ଅଫିସ ମଧ୍ୟ ଅଛି। ଏହି ସୂତ୍ରରୁ ଜଣାପଡିଛି ଏନେଇ ୪୩.୭୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେଜ୍ରିୱାଲଙ୍କ ସରକାରୀ ବାସଭବନର ଦବୀକରଣରେ ୪୪.୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
୯ ସେପ୍ଟେମ୍ବର ୨୦୨୦ ରୁ ଜୁନ, ୨୦୨୨ ମଧ୍ୟରେ ୬ ଥର ଏହି ଖର୍ଚ୍ଚ କରାଯାଇଛି। ତଥ୍ୟ ଅନୁଯାୟୀ ଆଭ୍ୟନ୍ତରୀଣ ସାଜସଜ୍ଜା ପାଇଁ ୧୧.୩୦ କୋଟି, ପଥର ଏବଂ ମାର୍ବଲ ଚଟାଣ ପାଇଁ ୬.୦୨ କୋଟି,
ଆଭ୍ୟନ୍ତରୀଣ ପରାମର୍ଶ ପାଇଁ ଏକ କୋଟି,ବୈଦ୍ୟୁତିକ ଫିଟିଙ୍ଗ ଏବଂ ଯନ୍ତ୍ରପାତି ଉପରେ ୨.୫୮ କୋଟି, ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ୨.୮୫ କୋଟି, ଆଲମିରା ଲାଗି ୧.୪୧ କୋଟି,ଆସବାବପତ୍ର, ରୋଷେଇ ସରଞ୍ଜାମ ପାଇଁ ୧.୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ କ୍ୟାମ୍ପ କାର୍ଯ୍ୟାଳୟ ପାଇଁ ଅନୁମୋଦିତ ୯.୯୯ କୋଟି ଟଙ୍କାରୁ ୮.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।