Categories: ଜାତୀୟ

ମଧ୍ୟପ୍ରଦେଶରେ ୩,୦୦୦ ଟଙ୍କା ବେରୋଜଗାରୀ ଭତ୍ତା ପ୍ରତିଶ୍ରୁତି ଦେଲେ କେଜ୍‌ରିଓ୍ବାଲ

ସାତନା,୨୧ା୮(ପି.ଟି.): ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଯୁବବର୍ଗଙ୍କୁ ମାସିକ ୩,୦୦୦ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ସମେତ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଗ୍ୟାରେଣ୍ଟି ମଧ୍ୟରେ ରହିଛି ମାଗଣା ବିଜୁଳି, ମାଗଣା ଚିକିତ୍ସା ସେବା ଏବଂ ଉନ୍ନତ ମାନର ସ୍କୁଲ୍‌ ନିର୍ମାଣ। ଏକ ସଭାକୁ ସମ୍ବୋଧନ କରି ଏଏପି ଜାତୀୟ ଆବାହକ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି।

ନିଜ ଝିଆରୀ, ପୁତୁରାଙ୍କୁ ଧୋକ୍କା ଦେଇଥିବା ‘ମାମା’(ଶିବରାଜ)ଙ୍କ ଉପରେ ବିଶ୍ୱାସ ନ କରିବାକୁ କେଜ୍‌ରିଓ୍ବାଲ ଜନସାଧାରଣଙ୍କୁ ଅପିଲ୍‌ କରିଥିଲେ। ଭାଷଣ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମାଜର ବିଭିନ୍ନ ବର୍ଗଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ। ବିଭିନ୍ନ ଦଳ ନିର୍ବାଚନ ବେଳେ ଇସ୍ତାହାରରେ ବିଭିନ୍ନ ପ୍ରତିଶ୍ରୁତି ଘୋଷଣା କରି ପରେ ଭୁଲିଯାଆନ୍ତି। କିନ୍ତୁ କେଜ୍‌ରିଓ୍ବାଲ୍‌ଙ୍କ ଗ୍ୟାରେଣ୍ଟି ନିଶ୍ଚୟ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି କରିଥିଲେ। ମଧ୍ୟପ୍ରଦେଶରେ ଭାଜପା ଏବଂ କଂଗ୍ରେସକୁ ଯଥେଷ୍ଟ ସୁଯୋଗ ଦିଆଯାଇଛି। ଏଏପିକୁ ଗୋଟିଏ ଥର ସୁଯୋଗ ଦେଇ ଦେଖନ୍ତୁ। ଦିଲ୍ଲୀ ଓ ପଞ୍ଜାବରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ ବୋଲି ଏଏପି ନେତା କହିଥିଲେ।

Share