Categories: ଜାତୀୟ

୨ ନଭେମ୍ବରରେ ଗିରଫ ହେବେ କେଜରିଓ୍ବାଲ: ଏଏପି…

ନୂଆଦିଲ୍ଲୀ,୩୧।୧୦ : ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି )ଦାବି କରିଛି ମଦ ଦୁର୍ନୀତି ମାମଲାର ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପରେ ନଭେମ୍ବର ୨ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାର ଆଶଙ୍କା ରହିଛି। ଦିଲ୍ଲୀର ଶାସକ ଦଳ ମଧ୍ୟ ଅଭିଯୋଗ କରିଛି ଭାଜପା ଏଏପିର ଶୀର୍ଷ ନେତାମାନଙ୍କୁ ଜେଲକୁ ନେଇ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି।

ମନି ଲଣ୍ଡରିଂ ଆକ୍ଟ ଅନ୍ତର୍ଗତ କେଜରିୱାଲଙ୍କୁ ସମନ ଜାରି କରାଯାଇଛି ଏବଂ ସୂତ୍ର ଅନୁଯାୟୀ, ନଭେମ୍ବର ୨ ତାରିଖ ଦିନ ପୂର୍ବାହ୍ନ ୧୧ଟା ସମୟରେ ଅନୁସନ୍ଧାନକାରୀ ସଂସ୍ଥାର ଦିଲ୍ଲୀ କାର୍ଯ୍ୟାଳୟରେ ସାକ୍ଷ୍ୟ ଦେବା ପରେ ଇଡି ତାଙ୍କ ବିବୃତ୍ତି ରେକର୍ଡ କରିବ। କେଜରିୱାଲଙ୍କୁ ପ୍ରଥମ ଥର ପାଇଁ ଇଡି ପକ୍ଷରୁ ଡକାଯାଇଛି। ଏପ୍ରିଲରେ ତାଙ୍କୁ ଏହି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପଚରାଉଚରା କରିଥିଲା। ମଙ୍ଗଳବାର ଖବରଦାତାଙ୍କୁ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶ ମାର୍ଲେନା କହିଛନ୍ତି ଭାଜପା ଏହି କୌଶଳ ବ୍ୟବହାର କରି ଏଏପିକୁ ଟାର୍ଗେଟ କରୁଛି। କାରଣ ଭାଜପା ଜାଣେ ନିର୍ବାଚନରେ କେଜରିୱାଲଙ୍କୁ ପରାସ୍ତ କରିପାରିବ ନାହିଁ।

ସେ କହିଛନ୍ତି, ଖବର ରହିଛି କେଜରିୱାଲଙ୍କୁ ନଭେମ୍ବର ୨ରେ ଗିରଫ କରାଯିବ। ଯଦି ତାଙ୍କୁ ଗିରଫ କରାଯାଏ, ତେବେ ଏହା ଦୁର୍ନୀତି ଯୋଗୁ ନୁହେଁ ବରଂ ସେ ଭାଜପା ବିରୋଧରେ କଦେଇଥିବା ମନ୍ତବ୍ୟ ପାଇଁ କରାଯିବ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇଥର ଏଏପି ଭାଜପାକୁ ପରାସ୍ତ କରିଛି। ଏମସିଡି ନିର୍ବାଚନରେ ମଧ୍ୟ ପରାଜିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଜରିୱାଲଙ୍କୁ ଡରୁଛନ୍ତି। ନିର୍ବାଚନରେ ସେମାନେ ଏଏପିକୁ ପରାସ୍ତ କରିପାରିବେ ନାହିଁ ବୋଲି ଭାଜପା ଜାଣେ।

ମନୀଷ ସିସୋଡିଆ, ସଞ୍ଜୟ ସିଂ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ସମେତ ଏଏପି ର ଶୀର୍ଷ ନେତୃତ୍ୱଙ୍କୁ ଗିରଫ କରିବା ସମ୍ପର୍କରେ ଆତିଶି ଦାବି କରିଛନ୍ତି ଏହାର ଅର୍ଥ ସ୍ପଷ୍ଟ , ଭାଜପା ଏଏପିକୁ ହଟାଇବାକୁ ଚାହୁଁଛି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଜାମିନ ମିଳିଛି। କେଜରିୱାଲଙ୍କ ଗିରଫ ହେବା ପରେ ଭାଜପା ସିବିଆଇ ଏବଂ ଇଡି ବ୍ୟବହାର କରି ଇଣ୍ଡିଆ ମେଣ୍ଟର ଅନ୍ୟ ନେତା ତଥା ଏହାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବ।

 

 

 

Share