Categories: ଜାତୀୟ

ଆଜି ଜେଲ୍‌ରୁ ବାହାରିବେ କେଜ୍‌ରିଓ୍ବାଲ୍‌: ସ୍ବାମୀଙ୍କୁ ଆଣିବାକୁ ଯିବା ପୂର୍ବରୁ ଏସବୁ କାମ କରିବେ ସ୍ତ୍ରୀ

ନୂଆଦିଲ୍ଲୀ,୨୧।୬: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ଜରିଆରେ ଜାମିନ ଦିଆଯାଇଛି। ସେ ଆଜି ତିହାର ଜେଲରୁ ବାହାରିବେ। ତାଙ୍କୁ ଜେଲରୁ ଘରକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଅରବିନ୍ଦ କେଜ୍‌ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ିୱାଲ ଆଜି ତାଙ୍କ ବାସଭବନରୁ ଜଳମନ୍ତ୍ରୀ ଅତିଶୀଙ୍କ ସହ ସକାଳ ପ୍ରାୟ ୧୦.୪୫ରେ ରାଜଘାଟକୁ ଜଳମନ୍ତ୍ରୀ ଅତିଶୀଙ୍କ ସହ ଯିବେ। ଏହି ସମୟ ମଧ୍ୟରେ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ରହିବେ।
ଏହା ପରେ ସୁନୀତା ପାଣି ପାଇଁ ଅନଶନ କରୁଥିବା ସ୍ଥଳକୁ ଯିବେ। ଏଠାରେ କିଛି ସମୟ ରହିବା ପରେ ସୁନୀତା ତାଙ୍କ ବାସଭବନକୁ ଫେରିବେ ଏବଂ ସେଠାରୁ ଅନ୍ୟ ସମସ୍ତ ନେତା ତିହାର ଜେଲକୁ ଯିବେ। ସୁନୀତା ଦିନ ପ୍ରାୟ ୪ଟାରେ ତିହାର ଜେଲରେ ପହଞ୍ଚିବେ।
କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଜାମିନ ମିଳିବା ପରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବାଣ ଫୁଟାଇ ଖୁସି ମନାଇଛନ୍ତି।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପୂର୍ବରୁ ଇଡି ଗତ ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲଙ୍କୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ମେ’୧୦ରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ଅନୁଯାୟୀ ଜୁନ୍‌ ୨ରେ କେଜ୍‌ରିଓ୍ବାଲ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଥିଲା। ଅବକାରୀ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲ ୧୦୦ କୋଟି ଟଙ୍କା ଲାଞ୍ଚ ଦାବି କରିଥିବାର ପ୍ରମାଣ ରହିଛି ବୋଲି ଶୁଣାଣି ବେଳେ ଇଡି ଅଦାଲତଙ୍କୁ ଜଣାଇଥିଲା। ଉକ୍ତ ଲାଞ୍ଚ ଟଙ୍କାକୁ ଗୋଆରେ ଆପ୍‌ ନିର୍ବାଚନ ପ୍ରଚାରରେ ବ୍ୟୟ କରିଥିବା ତଦନ୍ତକାରୀ ସଂସ୍ଥା କହିଥିଲା। ଇଡି ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ସାଉଥ୍‌ ଗ୍ରୁପ୍‌ ସିଧାସଳଖ ଆପ୍‌କୁ ଟଙ୍କା ପଠାଇଥିବାବେଳେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ସେଥିରେ ସମ୍ପୃକ୍ତ ଥିଲେ। ତଦନ୍ତ ବେଳେ ଫୋନ୍‌ ପାସ୍‌ଓ୍ବାର୍ଡ ଦେବାକୁ କେଜ୍‌ରିଓ୍ବାଲ ମନା କରିଥିଲେ ବୋଲି ରାଜୁ କହିଥିଲେ। ଏହି କାରଣରୁ ସାଧାରଣ ଜାମିନ ଆଇନ ଅନୁଯାୟୀ କେଜ୍‌ରିଓ୍ବାଲଙ୍କୁ ଜାମିନ ନ ଦେବାକୁ ରାଜୁ ଯୁକ୍ତି ଦର୍ଶାଇଥିଲେ। ଅନ୍ୟ ପକ୍ଷରେ ଇଡିର ଅଭିଯୋଗ ପଛରେ କୌଣସି ପ୍ରମାଣ ନ ଥିବା କେଜ୍‌ରିଓ୍ବାଲଙ୍କ ଓକିଲ ବିକ୍ରମ ଚୌଧରୀ କହିଥିଲେ।

 

Share