Categories: ଜାତୀୟ

ଆସନ୍ତାକାଲି ବଡ଼ ବୈଠକ ଡାକିବେ କେଜ୍‌ରିଓ୍ବାଲ, ଏଜେଣ୍ଡାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୧୧ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ଏହା ସହ ଜେଲ୍‌ରୁ ବାହାରିବା ପରେ କେଜ୍‌ରିଓ୍ବାଲ ତାଙ୍କର ରାଜନୈତିକ ସକ୍ରିୟତାକୁ ଆହୁରି ଜୋରଦାର କରିଛନ୍ତି। ଆଜି କେଜ୍‌ରିଓ୍ବାଲ ଦିଲ୍ଲୀରେ ଏକ ରୋଡ୍‌ ଶୋ’ କରିବାକୁ ଯାଉଛନ୍ତି। କେଜ୍‌ରିଓ୍ବାଲଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜେଲ୍‌ରୁ ବାହାରିବା ପରେ କେଜ୍‌ରିଓ୍ବାଲ ପ୍ରଥମଥର ପାଇଁ ଏକ ପ୍ରମୁଖ ଦଳ ସଭାରେ ଭାଗ ନେବାକୁ ଯାଉଛନ୍ତି।

ସୂଚନାନୁସାରେ, ଆସନ୍ତାକାଲି ଏଏପିର ଏକ ବଡ଼ ବୈଠକ ହେବାକୁ ଯାଉଛି। ଯଉଁଥିରେ କେଜ୍‌ରିଓ୍ବାଲ ଦିଲ୍ଲୀର ସମସ୍ତ ବିଧାୟକଙ୍କ ସହ ଏହି ବୈଠକ କରିବେ। ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ତିହାର ଜେଲ୍‌ରୁ ବାହାରିବା ପରେ ଏହା ହେଉଛି କେଜ୍‌ରିଓ୍ବାଲଙ୍କ ପ୍ରଥମ ବଡ଼ ବୈଠକ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଶୁକ୍ରବାର ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍‌ରିଓ୍ବାଲଙ୍କୁ ଜୁନ୍‌ ୧ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ, ଅଭିଯୁକ୍ତ ମଦ ଦୁର୍ନୀତି ମାମଲା ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କେଜ୍‌ରିଓ୍ବାଲଙ୍କୁ ଜୁନ ୨୍‌ରେ ଆତ୍ମସମର୍ପଣ କରି ଜେଲ୍‌ ଫେରିବାକୁ ପଡ଼ିବ।

Share