Categories: ଜାତୀୟ

ଗୋଆରେ କେଜ୍ରିଓ୍ବାଲଙ୍କ ୭ ପ୍ରତିଶ୍ରୁତି …

ପଣଜୀ,୨୧।୯: ଅସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ମଙ୍ଗଳବାର ୭ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ପରିବାରର ଜଣେ ବେକାର ଯୁବକଙ୍କୁ ମାସକୁ ୩୦୦୦ ଟଙ୍କାର ଭତ୍ତା ସହିତ ନିଯୁକ୍ତିରେ ୮୦ ପ୍ରତିଶତ ସଂରକ୍ଷଣ ସ୍ଥାନୀୟ ଲୋକଙ୍କ ପାଇଁ ରହିବ ବୋଲି କହିଛନ୍ତି।

ସେହିପରି କରୋନା ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ବନ୍ଦ ରହିଛି। ଫଳରେ ବହୁ ଲୋକ ବେକାର ହୋଇଯାଇଛନ୍ତି। ଜୀବନ ଜୀବିକା ପାଇଁ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ଲୋକଙ୍କୁ ମାସକୁ ୫୦୦୦ ଟଙ୍କା ପ୍ରଦାନ କରାଯିବ। ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ସେହିପରି ଖଣି ସେକ୍ଟର ଉପରେ ନିର୍ଭର କରୁଥିବା ପରିବାରଙ୍କୁ ମଧ୍ୟ ମାସ ପିଛା ୫୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଖଣି ସେକ୍ଟରରେ ପୂର୍ବ ଅବସ୍‌ତା ଫେରି ଆସିବା ପର୍ଯ୍ୟନ୍ତ ଏହା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

କେଜ୍ରିଓ୍ବାଲଙ୍କ ନିର୍ବାଚନୀ ଘୋଷଣା ସହିତ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଗୋଆ ବିଧନାସଭା ନିର୍ବାଚନ ପାଇଁ ପ୍ରାୟ ୪ ମାସ ଆଗରୁ ବିଗୁଲ୍‌ ବଜା ଯାଇଛି। ଏଏପିକୁ ବିଜୟୀ କରାଇଲେ ଏସବୁ ପ୍ରତିଶ୍ରୁତି ପୂରଣ ହେବ ବୋଲି ସେ କହିଛନ୍ତି।

Share