Categories: ଜାତୀୟ

ତିହାର ଜେଲରେ କେଜ୍‌ରିଓ୍ବାଲଙ୍କ ଅଫିସ୍‌ ଦାବି: ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ନୂଆଦିଲ୍ଲୀ,୯ା୫ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଅଡ଼ିବସିଛନ୍ତି। ତିହାର ଜେଲରେ ଥାଇ କେନ୍ଦ୍ରଶାସିତ ଅଞ୍ଚଳକୁ ଶାସନ କରିବେ ବୋଲି ସେ କହିଥିବାବେଳେ ଜେଲ ଭିତରେ ତାଙ୍କ ପାଇଁ ଏକ ଅଫିସ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାଖଲ ହୋଇଛି। ହାଇକୋର୍ଟ ବୁଧବାର ଉକ୍ତ ଆବେଦନକୁ ଶୁଣାଣିଯୋଗ୍ୟ ନୁହେଁ ବୋଲି କହିବା ସହ ଆବେଦନକାରୀ ଓକିଲ ଶ୍ରୀକାନ୍ତ ପ୍ରସାଦଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
ଆବେଦନକାରୀ ଓକିଲ ଶ୍ରୀକାନ୍ତ ଯୁକ୍ତି ବାଢ଼ିଥିଲେ, ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ପାଇଁ ଜେଲରେ ଅଫିସ୍‌ ପ୍ରତିଷ୍ଠା କରାଗଲେ ସେ ସେଠାରୁ ନିଜ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ଯୋଗାଯୋଗ କରିପାରିବେ। ଏହାଦ୍ୱାରା ଦିଲ୍ଲୀରେ ସୁଶାସନ ପ୍ରତିଷ୍ଠା ହୋଇପାରିବ। କେଜ୍‌ରିଓ୍ବାଲ ଇସ୍ତଫା ଦେଇଛନ୍ତି ଏବଂ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ମଧ୍ୟ ବନ୍ଦ କରାଯାଉ ବୋଲି ସେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ନିବେଦନ କରିଥିଲେ। ଓକିଲଙ୍କ ପିଟିଶନର ଶୁଣାଣି ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମନମୋହନ କହିଥିଲେ, ଗଣମାଧ୍ୟମ ଉପରେ କଟକଣା ଲଗାଯାଇପାରିବ ନାହିଁ କି ଏପରି ଅଫିସ୍‌ ପ୍ରତିଷ୍ଠା କରାଯାଇପାରିବ ନାହିଁ। ଅଦାଲତଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ ଦିଲ୍ଲୀ ଏମ୍ସରେ ୧ ଲକ୍ଷ ଟଙ୍କା ଜମା କରିବେ।

Share