Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କମିଯିବ କେଜରିଓ୍ବାଲଙ୍କ ପାଓ୍ବାର! ଆତିଶୀଙ୍କ ଠାରୁ କେତେ କମିଯିବ ଦରମା-ଭତ୍ତା ଓ ସୁବିଧା

ନୂଆଦିଲ୍ଲୀ,୧୭।୯: ଅରବିନ୍ଦ କେଜରିୱାଲ ରବିବାର ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାର ସେ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ସେ ସିଏମ ପଦବୀରେ ଥିବାବେଳେ ପାଇଥିବା ସମସ୍ତ ସୁବିଧା ଆଉ ପାଇପାରିବେ ନାହିଁ।

କେଜରଓ୍ବାଲଙ୍କ ଇସ୍ତଫା ପରେ ବର୍ତ୍ତମାନ ତାଙ୍କ ପାଖରେ ସରକାରୀ ବଙ୍ଗଳା ଏବଂ କାରର ସୁବିଧା ରହିବ ନାହିଁ। ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ଯେଉଁ ଦରମା ପାଉଥିଲେ ଆଉ ଦରମା ମିଳିବ ନାହିଁ। ସେ ସିଏମ ବଦଳରେ ବିଧାୟକ ଭାବରେ ବେତନ ପାଇବେ। କେଜରିୱାଲ ମୁଖ୍ୟମନ୍ତ୍ରୀ ଭାବରେ ପ୍ରତି ମାସରେ ୧ ଲକ୍ଷ ୨୫ ହଜାର ଟଙ୍କା ବେତନ ପାଉଥିଲେ। ଏହି ଦରମାର ୩୦ହଜାର ଟଙ୍କା ନିର୍ବାଚନମଣ୍ଡଳୀ ଭତ୍ତା, ୨୫ହଜାର ଟଙ୍କା ସଚିବ ସହାୟତା ଏବଂ ୧୦ହଜାର ଟଙ୍କା ସପ୍ଲିମେଣ୍ଟାରୀ ଭତ୍ତା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସରକାରୀ ବଙ୍ଗଳା, କାର, ଡ୍ରାଇଭର, ଚାକର ଭଳି ଅନେକ ସୁବିଧା ମଧ୍ୟ ଉପଲବ୍ଧ। ଯାହା ତାଙ୍କୁ ଆଉ ମିଳିବ ନାହିଁ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦେଶ ଭ୍ରମଣ ପାଇଁ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭତ୍ତା ପାଇଥାନ୍ତି, ଯାହାର ଲାଭ ତାଙ୍କ ପରିବାର ମଧ୍ୟ ପାଇପାରିବେ। ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ପାଞ୍ଚ ହଜାର ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରିପାରିବେ। ତେବେ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମଧ୍ୟ ବିଧାୟକ ପଦବୀରେ ଅବ୍ୟାହତ ରହିବେ। ସେ ଦିଲ୍ଲୀ ସରକାରରେ ବିଧାୟକଙ୍କୁ ଦିଆଯାଇଥିବା ସମସ୍ତ ସୁବିଧା ପାଇବେ।

ଦିଲ୍ଲୀରେ ବିଧାୟକଙ୍କୁ ଦରମା ଭାବରେ ୯୦ହଜାର ଟଙ୍କା ମିଳିଥାଏ। ଯେଉଁଥିରେ ୨୫ ହଜାର ନିର୍ବାଚନମଣ୍ଡଳୀ ଭତ୍ତା, ୧୫ହଜାର ସଚିବାଳୟ ଭତ୍ତା, ୧୦ ହଜାର ପରିବହନ ଭତ୍ତା ଏବଂ ୧୦ ହଜାର ଟେଲିଫୋନ ସୁବିଧା ମିଳିଥାଏ। ଏହା ବ୍ୟତୀତ ଅଫିସ ପାଇଁ ଲାପଟପ, କମ୍ପ୍ୟୁଟର, ମୋବାଇଲ ଫୋନ ଇତ୍ୟାଦି ଜିନିଷ କିଣିବା ପାଇଁ ୧ ଲକ୍ଷ ଟଙ୍କା ଦିଆଯାଇଥାଏ। ଦିଲ୍ଲୀରେ ବିଧାୟକମାନଙ୍କୁ ଦୈନିକ ୧୫୦୦ ଟଙ୍କା ଭତ୍ତା ଏବଂ ତିନି ହଜାର ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରିବାର ସୁବିଧା ମଧ୍ୟ ଦିଆଯାଉଛି। ଏହା ବ୍ୟତୀତ ବାର୍ଷିକ ୧ ଲକ୍ଷ ଟଙ୍କା ଭ୍ରମଣ ଭତ୍ତା ଦିଆଯାଏ।

ଦିଲ୍ଲୀ ବିଧାନସଭାର ୱେବସାଇଟ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ବିଧାୟକଙ୍କ ପରି ସମାନ ପେନସନ ପ୍ରଦାନ କରାଯାଏ। ଜଣେ ବିଧାୟକ ତାଙ୍କର ସଦସ୍ୟତାର ପ୍ରଥମ ଅବଧି ପାଇଁ ପ୍ରତି ମାସରେ ୧୫ହଜାର ଟଙ୍କା ପେନସନ ପାଆନ୍ତି । ଯଦି ସେହି ବିଧାୟକ ଏକାଧିକ ଥର ବିଧାୟକ ହୁଅନ୍ତି, ତେବେ ତାଙ୍କୁ କ୍ରମାଗତ ବର୍ଷରେ ୧୦୦୦ ଟଙ୍କା ଅତିରିକ୍ତ ପେନ୍ସନ ଦିଆଯାଏ।

Share