ନୂଆଦିଲ୍ଲୀ,୨୭।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ସରକାରୀ ବାସଭବନର ନବୀକରଣରେ ହୋଇଥିବା ‘ଅନିୟମିତତା ଏବଂ ନିୟମ ଉଲ୍ଲଂଘନ’ ଅଭିଯୋଗର ଅଡିଟ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) କରିବେ। ରାଜ ନିବାସର ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ବାସ୍ତବରେ, ମେ ୨୪ ରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ କାର୍ଯ୍ୟାଳୟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ଚିଠି ପଠାଇ ସିଏଜି ଦ୍ୱାରା ଏକ ସ୍ବତନ୍ତ୍ର ଅଡିଟ ସୁପାରିଶ କରିଥିଲେ। ଚିଠିରେ କୁହାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ ନାମରେ ଅନେକ ଉଲ୍ଲଂଘନ ଏବଂ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡୁଛି।
ଏହା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରାଜ୍ୟପାଳଙ୍କ ସଚିବାଳୟ ଦ୍ୱାରା ପଠାଯାଇଥିବା ସୁପାରିଶକୁ ସିଏଜିକୁ ପଠାଇଥିଲେ। ଏବେ ଦିଲ୍ଲୀର ସିଭିଲ ଲାଇନ୍ସର ୬ ଫ୍ଲାଗ ଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବାସଭବନ ସହ ଜଡିତ ମାମଲାର ସ୍ବତନ୍ତ୍ର ଅଡିଟ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ ସମ୍ପର୍କରେ ଭାଜପା ଅଭିଯୋଗ କରିଥିଲା ପିଡବ୍ଲ୍ୟୁଡି ଏହି କାମର ମୂଲ୍ୟ ୭.୬୨କୋଟିରୁ ୩୩.୨୦ କୋଟି ଟଙ୍କାକୁ ବିନା ଅନୁମତିରେ ବୃଦ୍ଧି କରିଛି। ଏହି ଅଭିଯୋଗ ନେଇ ଉପରାଜ୍ୟପାଳ ଭି.କେ ସାକ୍ସେନା ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ ନିକଟରୁ ଏକ ରିପୋର୍ଟ ମାଗିଥିଲେ। ଯେଉଁଥିରେ ମୁଖ୍ୟ ସଚିବ ୨୭ ଏପ୍ରିଲରେ ରିପୋର୍ଟର ପ୍ରଥମ ଭାଗ ପଠାଇଥିଲେ ଏବଂ ତା’ପରେ ୧୨ ମେରେ ରିପୋର୍ଟର ଦ୍ୱିତୀୟ ଭାଗ ଉପରାଜ୍ୟପାଳଙ୍କ ସଚିବାଳୟକୁ ପଠାଯାଇଥିଲା।