କେଲିଆ ଶୈବପୀଠ, ପାର୍ବତୀ ଗୁମ୍ଫା

ଡାବୁଗାଁ, ୨।୧ (ଡି.ଏନ୍‌.ଏ.):ଶୀତଋତୁ ଆସିଲେ ପର୍ଯ୍ୟଟନସ୍ଥଳୀଗୁଡ଼ିକ ହୋଇଯାଏ ବେଶ୍‌ ଗହଳିଚହଳି। ପ୍ରାକୃତିକ ପରିବେଶ ଭରା ସ୍ଥାନରେ ବେଶ୍‌ ଭିଡ଼ ଜମେ। ସ୍ଥାନୀୟ ଲୋକଙ୍କ ସହିତ ପଡ଼ୋଶୀ ଜିଲା ଓ ରାଜ୍ୟର ଲୋକେ ସେଠାକୁ ପିକ୍‌ନିକ୍‌ କରିବାକୁ ଆସିଥାନ୍ତି। ଏପରି ଏକ ସ୍ଥାନ ହେଉଛି ନବରଙ୍ଗପୁର ଜିଲାର କେଲିଆ ଶୈବପୀଠ। ମନ୍ଦିର ଚତୁଃପାର୍ଶ୍ୱର ମନୋରମା ଶୋଭାରାଶି ସତେ ଯେମିତି ପର୍ଯ୍ୟଟକଙ୍କୁ ସ୍ବାଗତ କରିବାକୁ ଅପେକ୍ଷାକରି ରହିଛି। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରେ। ଏଥିସହ କେତେଜଣ ଠାକୁରଙ୍କ ପାଖରେ ମାନସିକ କରି ଦର୍ଶନ କରିବାକୁ ଆସିଥାନ୍ତି।
ଏବେ ପିକ୍‌ନିକ୍‌ ଋତୁରେ ସେଠାରେ ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଗଲାଣି। ନବରଙ୍ଗପୁର ଜିଲା ସଦର ମହକୁମାଠାରୁ ୪୩ କି.ମି. ଦୂର ତଥା ଡାବୁଗାଁ ବ୍ଲକର ପୂର୍ବ ଦିଗରେ ରହିଛି କେଲିଆ ଶୈବପୀଠ। ଏଠାରେ ପୂଜା ପାଉଛନ୍ତି ଝଡ଼େଶ୍ୱର ମହାଦେବ। ତାଙ୍କ ପ୍ରସାଦ ସେବନ ଓ ପାଦୁକା ଲେପନ କଲେ କୁଷ୍ଠରୋଗ ଭଲ ହୋଇଥାଏ ବୋଲି ପୂର୍ବକାଳରୁ ବିଶ୍ୱାସ ରହି ଆସିଛି। ପ୍ରଥମେ ଚଳ ଛାପର ଘରେ ବାବାଙ୍କ ମନ୍ଦିର ନିର୍ମାଣ ହୋଇଥିଲା। ପରେ ମନ୍ଦିର କମିଟି ଦ୍ୱାରା ଟାଇଲ ଛପର ଘର କରାଯାଇ ପୂଜା କରାଯାଉଥିଲା। ୨୦୦୨ରେ ତତ୍କାଳୀନ ଡାବୁଗାଁ ବିଧାୟକ ଭୁଜବଳ ମାଝି, ଜିଲାପାଳ, ଗାଁ କମିଟି ଓ ମନ୍ଦିର କମିଟିର ସହଯୋଗରେ ୧୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପରେ ୨୦୧୩ରେ ଶେଷ ହୋଇଥିଲା। ଶୈବପୀଠର ନିଆରା ଆକର୍ଷଣ ହେଉଛି ଚାରିପଟେ ଘେରି ରହିଥିବା ଔଷଧୀୟ ବୃକ୍ଷ। ଜଙ୍ଗୀ, ହରିଡ଼ା, ବାହାଡ଼ା, ଅଁଳା ଓ କରଞ୍ଜ ଗଛରୁ ଝଡୁଥିବା ଫଳକୁ ପର୍ଯ୍ୟଟକମାନେ ସଂଗ୍ରହକରି ମଜା ନେଇଥାନ୍ତି। ଏହି ପର୍ଯ୍ୟଟନସ୍ଥଳ ନିକଟରେ ରହିଛି କେଲିଆ, ବାଣୁଆଗୁଡ଼ା, କୁମୁଝରିଆଗୁଡ଼ା, ପୋଖନାଗୁଡ଼ା, ମଣିଆଗୁଡ଼ା ଆଦିବାସୀ ଗ୍ରାମ। ସେଠାରେ ଦେଖିବାକୁ ମିଳେ ଆଦିବାସୀଙ୍କ ସରଳ ନିରୀହ ଜୀବନଧାରା। ପର୍ଯ୍ୟଟନସ୍ଥଳୀର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏଠାକୁ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକମାନେ ଆସନ୍ତି। ଏଠାରୁ ଜଙ୍ଗଲ ରାସ୍ତାରେ ୩ କି.ମି. ଦୂର ଗଲେ ରହିଛି ଅନ୍ୟତମ ଆକର୍ଷଣ ପାର୍ବତୀ ଗୁମ୍ଫା, ଯାହାର ରହସ୍ୟ ହିଁ ପର୍ଯ୍ୟଟକଙ୍କୁ ଟାଣି ଆଣେ। ଏହି ଗୁମ୍ଫା କେଉଁଠି ସମାପ୍ତ ହୋଇଛି ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ଗୁମ୍ଫା ଭିତରେ ଥିବା ଧବଳ ରଙ୍ଗର ଲିଙ୍ଗ ଦର୍ଶନ ସାଙ୍ଗକୁ ନିକଟରେ ବୋହିଯାଉଥିବା ଝରଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକଙ୍କୁ ବିଭୋର କରେ। ପରିତାପର ବିଷୟ ଅଦ୍ୟାବଧି ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରିନାହିଁ। କେଲିଆ ଶୈବପୀଠରୁ ପାର୍ବତୀ ଗୁମ୍ଫାକୁ ସଂଯୋଗ କରୁଥିବା ପାଦଚଲା ପାହାଡ଼ିଆ ରାସ୍ତାର ଉନ୍ନତୀକରଣ ପାଇଁ ପ୍ରସ୍ତାବ ଦିଆଯାଇଛି, ମାତ୍ର କାର୍ଯ୍ୟକାରୀ ହୋଇନାହିଁ। ପର୍ଯ୍ୟଟକମାନେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରିଥାନ୍ତି। ଏଠାରେ ରହିବା ପାଇଁ କୌଣସି ସୁବିଧା ନାହିଁ। ଏଥିପ୍ରତି ଦୃଷ୍ଟି ଦିଆଗଲେ ରାଜ୍ୟର ରାଜସ୍ବ ବୃଦ୍ଧି ସାଙ୍ଗକୁ ଆଦିବାସୀ ସଂସ୍କୃତି ଲୋକଲୋଚନାକୁ ଆସିପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ କହିଛନ୍ତି।

Share