ସହାୟତା ଅପେକ୍ଷାରେ କେନ୍ଦରା କଳାକାର

ଚମ୍ପୁଆ, ୮।୧୦ (ଡି.ଏନ.ଏ)-ହଜି ଯାଉଥିବା ଲୋକ ସଙ୍ଗୀତ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେଜଣ କଳାକାର ପ୍ରୟାସ ଚଳାଇ ଆସିଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ସରଙ୍ଗି ପଞ୍ଚାୟତ ଅନ୍ତର୍ଗତ ନିଉଣ୍ଡି ଗ୍ରାମର ସାହେବ ମୁଣ୍ଡା ଅନ୍ୟତମ। ୯୧ ବର୍ଷ ବୟସରେ ମଧ୍ୟ ସେ କେନ୍ଦରା ବଜାଇ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।
ମହାଭାରତ, ରାମାୟଣ ତଥା ସ୍ଥାନୀୟ କଥାବସ୍ତୁକୁ ଗୀତରେ ସ୍ଥାନ ଦେବାର ପାରଙ୍ଗମ ସାହେବ ଦିନ ମଜୁରିଆ ଭାବେ ଜୀବନ ନିର୍ବାହ କରିଆସୁଛନ୍ତି। ସମୟ ସୁଯୋଗ ପାଇଲେ କେନ୍ଦରା ବଜାଇ ଆରମ୍ଭ କରନ୍ତି ଲୋକ ସଙ୍ଗୀତ। ତାଙ୍କ କେନ୍ଦରା ଶବ୍ଦ ଶୁଣିଲେ ଗାଁ ଗହଳିରେ ଲୋକଙ୍କ ଭିଡ଼ ଜମିଯାଏ। ଏହାକୁ ଆୟୁଦ୍ଧ କରି ଗାଁକୁ ଗାଁ ବୁଲି କେନ୍ଦରା ବଜାଇ ଗୀତ ଗାଇବା ଏବଂ ଲୋକଙ୍କ ସହାନୁଭୂତି ସାଉଁଟିବା ସହିତ ମିଳୁଥିବା ଅର୍ଥରେ ପେଟ ଚାଖଣ୍ଡକ ପୋଷି ହୁଅନ୍ତି ସେ। ମାତ୍ର ଏବେ ତାଙ୍କୁ ବାର୍ଦ୍ଧକ୍ୟ ଘାରିସାରିଲାଣି। ମୟୂରଭଞ୍ଜ ଜିଲା ଗୁରୁ କଷ୍ଟୁ ମୁଣ୍ଡାଙ୍କଠାରୁ ଗୀତ ଗାଇବା ଓ କେନ୍ଦେରା ବଜାଇବା କୌଶଳ ଆଜି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଜଣେ କଳାକାର ଭାବେ ପରିଚୟ ଦେଇଛି। ଲୋକ କଳା ଓ ଲୋକ ସାହିତ୍ୟକୁ ବଞ୍ଚାଇ ରଖିଥିବା ଏହି ଅସ୍ତଗାମୀ ପ୍ରତିଭା ଏବେ ସହାୟତା ଅପେକ୍ଷାରେ। କେବଳ ଖାଉଟି ସୁରକ୍ଷା ଯୋଜନାରେ ୫ କେ.ଜି.ଚାଉଳ ମିଳୁଥିବା ବେଳେ ଆଜି ପର୍ଯ୍ୟନ୍ତ କଳାକାର ଭତ୍ତା ପାଇନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ। ଏଭଳି କଳାକାରଙ୍କ ସହାୟତା ପାଇଁ ସିବନୀ ସାହିତ୍ୟ ସଂସଦ ସମ୍ପାଦକ ଡମ୍ବରୁ ମହାନ୍ତ ଦାବି କରିଛନ୍ତି।