ସୁନ୍ଦରଗଡ଼, ଅନୁଗୋଳରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ସୁନ୍ଦରଗଡ଼ ଏବଂ ଅନୁଗୋଳ ଜିଲାରେ ୨ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ବୋର୍ଡ ଅନୁମୋଦନ ଦେଇସାରିଛି। ଏଥିଲାଗି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗତବର୍ଷ ସେପ୍ଟେମ୍ବର ୨୦ରେ ସୁନ୍ଦରଗଡ଼ ଲୋକସଭା ଏମ୍‌ପି ଜୁଏଲ ଓରାମ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ପତ୍ର ଆଧାରରେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ଯୋଶୀଙ୍କୁ ପତ୍ର ଲେଖି ଏମ୍‌ସିଏଲ୍‌ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୋଳରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାଦ୍ୱାରା ଉକ୍ତ ଜିଲାର ଛାତ୍ରୀଛାତ୍ରମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ପତ୍ରର ପ୍ରତ୍ୟୁତ୍ତରରେ ଯୋଶୀ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି, ସୁନ୍ଦରଗଡ଼ ଜିଲାର ବସୁନ୍ଧରାରେ ଏବଂ ଅନୁଗୋଳ ଜିଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏମ୍‌ଏସିଏଲ୍‌ ବୋର୍ଡ ଅନୁମୋଦନ ଦେଇଛି। ପ୍ରାଥମିକ ଶିକ୍ଷାସ୍ତରରେ ଅଧିକରୁ ଅଧିକ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମୁଖ୍ୟ ଏଜେଣ୍ଡା ରହିଛି। ଏହି ଖଣିଖାଦାନ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରୀଛାତ୍ରମାନେ ବିଶେଷ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ମଧ୍ୟ ପୂରଣ ହୋଇପାରିବ।

Share