କେନ୍ଦୁଝରରେ ବିକ୍ରି ହେଉନି କେନ୍ଦୁ

କେନ୍ଦୁଝର, ୧୮ା୪(ସ୍ବ.ପ୍ର): ବଣପାହାଡ଼ ଘେରା କେନ୍ଦୁଝର ଜିଲାର ଅନ୍ୟତମ ମୁଖ୍ୟ ପାହାଡିଆ ଫଳ ମଧ୍ୟରେ କେନ୍ଦୁର ସ୍ଥାନ ନିଆରା। ଏହି ସୁସ୍ବାଦୁ ଫଳ କେନ୍ଦୁଝର ଜିଲାର ନାମକୁ ସାର୍ଥକ କରୁଛି। ଖରା ଦିନରେ ଜିଲାର ବିଭିନ୍ନ ଜଙ୍ଗଲ ପାହାଡ଼ିଆ ଅଞ୍ଚଳ ତଥା ବିଲ ଖମାରରେ କେନ୍ଦୁ ପାଚିଥାଏ। କେନ୍ଦୁ ପ୍ରାକୃତିକ ପରିବେଶରେ ବଢୁଥିବାରୁ ଦେହ ପକ୍ଷେ ସ୍ବାସ୍ଥ୍ୟକର ବୋଲି କବିରାଜ ମାନେ ମତବ୍ୟକ୍ତ କରିଛନ୍ତି। କିନ୍ତୁ ଆଜିକାଲି ଏହି ଫଳ ଦୁର୍ଲଭ।
ଏବେ ଗ୍ରାମାଞ୍ଚଳ ହାଟବଜାର ଠାରୁ ଆରମ୍ଭ କରି ସହରାଞ୍ଚଳରେ ମଧ୍ୟ କେନ୍ଦୁ ବିକ୍ରି ହେଉଛି। ବନବାସୀ ଜଙ୍ଗଲ ଓ ପାହାଡରୁ କେନ୍ଦୁ ତୋଳି ପାଛିଆ, ବ୍ୟାଗରେ ଆଣି ପାଖ ହାଟବଜାରରେ ବିକ୍ରି କରିଥାନ୍ତି ା ଭାଗ ୨୦ ଟଙ୍କା। କିନ୍ତୁ କେନ୍ଦୁର ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନ ଥିବା ବେଳେ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର କିମ୍ବା ଗୋଦାମ ଘର ନାହିଁ ା ଏଣୁ ଅନେକ ସମୟରେ ବନବାସୀ ପ୍ରବଳ ଖରାରେ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ବସି ବିକିବାକୁ ବାଧ୍ୟ ହୋଇଥାନ୍ତି। କେନ୍ଦୁ ବିକି ନ ପାରିଲେ ସେସବୁ ବହୁ କମ ଦାମରେ ବେପାରୀଙ୍କୁ ବିକିଥାନ୍ତି ବା ବାହାରେ ଫୋପାଡି ଘରକୁ ଫେରିଥାନ୍ତି। ଫଳରେ ପରିଶ୍ରମ ମୁତାବକ ପଇସା ପାଆନ୍ତି ନାହିଁ। ଅନେକ ସମୟରେ ଗାଡିଭଡା ବା ଖାଇବା ଖର୍ଚ୍ଚ ମଧ୍ୟ ପାଆନ୍ତି ନାହିଁ। କେନ୍ଦୁଝର କେନ୍ଦୁ ରାଜ୍ୟ ତଥା ରାଜ୍ୟ ବହାରର ବିଭିନ୍ନ ସହରକୁ ଚାଲାଣ ହୋଇଥାଏ ା ଏଣୁ ଏହାକୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଗଲେ ଏହାର ଚାହିଦା ବୃଦ୍ଧି ପାଇବା ସହ ବନବାସୀମାନେ ଉଚିତ ମୂଲ୍ୟ ପାଇପାରିବେ ବୋଲି ବରିଷ୍ଠ ଅଧ୍ୟାପକ ଡକ୍ଟର ସୁମନ୍ତ୍ର ନାଏକ କହିଛନ୍ତି। କେନ୍ଦୁଝର ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଅଞ୍ଚଳରେ କେନ୍ଦୁ ଗଛ ରହିଛି ା ଜଳବାୟୁରେ ପରିବର୍ତ୍ତନ, ଜଙ୍ଗଲରେ ନିଆଁ ଏବଂ ମୃତ୍ତିକାକ୍ଷୟ ଆଦି କାରଣରୁ ଏହାର ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହାର ବନୀକରଣ ହେଉନାହିଁ ା ସେସବୁ ସୁରକ୍ଷା କରା ନ ଗଲେ ଧୀରେ ଧୀରେ ଜଙ୍ଗଲଜାତ ଦ୍ରବ୍ୟ ଲୋପ ପାଇଯିବ ବୋଲି ମତପ୍ରକାଶ ପାଉଛି।

Share