କେନ୍ଦୁଝର, ୬।୧(ସ୍ବ.ପ୍ର.) କେନ୍ଦୁଝର ଜିଲାକୁ ପ୍ରତ୍ୟେକ ବର୍ଷ ବିଶେଷ କରି ଶୀତ ଋତୁରେ ବିଭିନ୍ନ ଅଞ୍ଚଳରୁ ଦେଶୀ ଓ ବିଦେଶୀ ପକ୍ଷୀ ଆସିଥାନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ବନଖଣ୍ଡ ଅଧୀନ ସଦର, ଘଟଗାଁ, ପାଟଣା, ତେଲକୋଇ, ଚମ୍ପୁଆ, ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଧୀନ ୨୦ଟି ଡ୍ୟାମ, ନଦୀ, ପୋଖରୀ ଆଦି ଜଳାଶୟରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ସମୁଦାୟ ୩୮ଟି ଟିମ ସାମିଲ ହୋଇଥିଲେ ବୋଲି ଜଣାପଡିଛି। ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯାଇଥିଲା। ସମୁଦାୟ ୨୮ ଜଣ ଫରେଷ୍ଟର, ୪ଜଣ ଓୟୁଏଟିର ଅଭିଜ୍ଞ ଟିମ୍ ସହିତ ୮୦ଜଣ ବନରକ୍ଷୀ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଠିକ ଭାବେ ପକ୍ଷୀ ଗଣନା କରିବା ପାଇଁ ନିଜ ନିଜ ରେଞ୍ଜ୍ର ଦାୟିତ୍ୱ ରେଞ୍ଜରଙ୍କୁ ଦିଆଯାଇଥିଲା। ସବିଶେଷ ରିପୋର୍ଟ ଆସିଲା ପରେ ଜିଲାରେ ପକ୍ଷୀଙ୍କ ସଂଖ୍ୟା ଜଣାପଡିବ ବୋଲି କେନ୍ଦୁଝର ବନଖଣ୍ଡ ଡିଏଫ୍ଓ ଏଚ୍ଡି ଧନରାଜ କହିଛନ୍ତି ା ଗତ ବର୍ଷ ଏହି ଡିଭିଜନରେ ୨୦ ପ୍ରଜାତିର ୨୮୬୫ ଟି ପକ୍ଷୀ ଦେଖିବାକୁ ମିଳିଥିଲା। ଏହା ସହ ୫ଟି ନୂଆ ଅତିଥି ପକ୍ଷୀ ମଧ୍ୟ ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ପକ୍ଷୀଙ୍କ ଗଣନା ରିପୋର୍ଟ ୧ ସପ୍ତାହ ମଧ୍ୟରେ ଜଣାପଡିବ। ଜିଲାରେ ବିଶେଷ କରି ମୟୂର ଚୁଳିଆ, ଧଳା ଥୁଣ୍ଡ, କମନଟିଲ, ହୁଇସିଲିଙ୍ଗ ଟିଲ, ହଂସରାଳୀ, ମାଛରଙ୍କା, ଧଳାବଗ, ଗିରିଆ, ଗେଣ୍ଡାଳିଆ ଆଦି ଗଣନା ସମୟରେ ଦେଖିବାକୁ ମିଳିଥିଲା ବୋଲି ବନ କର୍ମଚାରୀ ମାନେ ସୂଚନା ଦେଇଛନ୍ତି।