ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରାଜ୍ୟର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କର ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିମାନଙ୍କୁ ସ୍ବାଗତ କରିବା ସହ କହିଛନ୍ତି ଯେ, ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ରହିଛି। ଆଗାମୀ ଦିନରେ ଆପଣମାନଙ୍କ ଭଲ ପାଇଁ ବହୁତ ବହୁତ କାମ କରିବି। ଏହି ସମୟରେ ସେଠାରେ ଉପସ୍ଥିତ କେନ୍ଦୁପତ୍ର କର୍ମଚାରୀମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌ ଧ୍ୱନି ଦେଇ ପରିବେଶ କମ୍ପାଇ ଦେଇଥିଲେ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନିକଟରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ। ବିଭିନ୍ନ ଦାବି ଉପରେ କେନ୍ଦୁପତ୍ର ତୋଳାଳି ସଂଘ ସହ ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୧୬ରେ ଆଲୋଚନା କରିଥିଲେ। ଆଲୋଚନାର ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦୦ ଏବଂ ବନ୍ଧାଳି ଓ ଅନ୍ୟ କର୍ମଚାରୀଙ୍କ ଲାଗି ୧୫ଶହ ଟଙ୍କା ବୋନସ୍‌ ପ୍ରଦାନ କରିଛନ୍ତି। ସେହିଭଳି ତୋଳାଳି ଓ ବନ୍ଧାଳି ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି।