ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନଓ୍ବାଡ଼ି କେନ୍ଦ୍ର

ଯୋଡ଼ା,୨୨ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡା ସହର ମଧ୍ୟଭାଗରେ ଥିବା ୱାର୍ଡ ନଂ. ୪ ଝୁମ୍ପୁଡ଼ି ହାଟିଂରେ ଭଙ୍ଗା ଦଦରା ଘରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି। ଅଭିଯୋଗ ପରେ ମଧ୍ୟ ଗୃହର ମରାମତି କରାଯାଉନାହିଁ। ଫଳରେ ବିପଦସଙ୍କୁଳ ଅଙ୍ଗନୱାଡ଼ିକୁ ଶିଶୁମାନଙ୍କୁ ଛାଡ଼ିବା ପାଇଁ ନିରାପଦ ମଣୁ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଅଙ୍ଗନୱାଡ଼ି କର୍ମୀ ଇନ୍ଦୁମତି ପ୍ରଧାନ ଓ ସହାୟିକା ମମିତା ଦାସ କହିଛନ୍ତି, ଝୁମ୍ପୁଡି ହଟିଂରେ ଥିବା ଅଙ୍ଗନୱାଡ଼ିଟି ଦୀର୍ଘ ଦେଢ଼ବର୍ଷରୁ ଊଦ୍ଧର୍‌ବ ହେଲାଣି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବସ୍ତି ଅଞ୍ଚଳରୁ ଆସୁଥିବା ଶିଶୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇ ବାରଣ୍ଡାରେ ଖାଦ୍ୟ ଦିଆଯାଉଛି। ଛାତରୁ ପ୍ଲାଷ୍ଟର ଖସୁଥିବାରୁ କେବଳ ଖାଇବା ସମୟରେ ଏଠାରେ ଛୁଆମାନଙ୍କୁ ଖାଦ୍ୟ ଦିଆଯାଉଛି। ପାଠପଢା ଗଛମୂଳେ ହେଉଛି। ଅଙ୍ଗନୱାଡ଼ି ଗୃହକୁ ବିପଦସଙ୍କୁଳ ଗୃହ ଭାବେ ଯୋଡ଼ା ସିଡିପିଓ ଘୋଷଣା କରିଛନ୍ତି। ତଥାପି କୌଣସି ବିକଳ୍ପ ପନ୍ଥା ନ ଥିବାରୁ ଗୃହଟିକୁ ବ୍ୟବହାର କରାଯାଉଛି। ବସ୍ତି ଆଖପାଖ ଅଞ୍ଚଳରେ ଭଡ଼ାରେ ଘର ଅନ୍ବେଷଣ କରି ଅଙ୍ଗନୱାଡ଼ିଟିକୁ ଚଳାଇବା ପାଇଁ ସିଡିପିଓ କହିଥିଲେ। ମାତ୍ର ଘର ମିଳୁ ନ ଥିବା କର୍ମୀ ଇନ୍ଦୁମତି କହିଛନ୍ତି। ଏ ନେଇ ଯୋଡ଼ା ପୌର ପାଳିକା ଅଧ୍ୟକ୍ଷଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ସାହାଯ୍ୟର ପ୍ରତିଶ୍ରୁତି ମିଳିଛି। ରୋଷଶାଳା ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବାରୁ ରୋଷେଇ ବାହାରେ କରାଯାଉଥିବା ସହାୟିକା କହିଛନ୍ତି। ପୌର ଅଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ କହିଛନ୍ତି, ଏହା ତାଙ୍କ ଜ୍ଞାତସାରରେ ଅଛି, ଖୁବ୍‌ଶୀଘ୍ର ସିଡିପିଓଙ୍କ ସହ କଥା ହୋଇ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଯୋଡ଼ା ସିଡିପିଓ ମାନସୀ ବେହେରା କହିଛନ୍ତି, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ନିର୍ବାଚନ ଯୋଗୁ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର ସମାଧାନ କରାଯିବ।

Share