ବଲିଉଡ୍‌ରେ କେନ୍ଦୁଝର ଝିଅ ୟୁବିକା

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍‌ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ ଚରିତ୍ର କରୁଥିବାବେଳେ ୟୁବିକା ତାଙ୍କର ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ଡାଇରେକ୍ଟର ନନ୍ଦିତା ଦାସ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ୟୁବିକା କେନ୍ଦୁଝର ଟାଙ୍ଗରାଣୀ ଗ୍ରାମର ସରୋଜ ବ୍ରହ୍ମ ଓ ରୋଜାଲିନ ବିଶ୍ବାଳଙ୍କ କନ୍ୟା। ସେ ଭୁବନେଶ୍ବର କିଟ୍‌ସ ଇଣ୍ଟନ୍ୟାଶନାଲ ବିଦ୍ୟାଳୟରେ କ୍ଲାସ୍‌ ୮ରେ ଅଧ୍ୟୟନ କରୁଛନ୍ତି। ଏହି କୁନି କଳାକାରଙ୍କ ସହ ସ୍ବତନ୍ତ୍ର ଆଳାପ।
ପ୍ରଶ୍ନ:- ଆପଣଙ୍କ ପ୍ରଥମ ବଲିଉଡ୍‌ ସିନେମା ରିଲିଜ ହେବ, କିପରି ଲାଗୁଛି?
ଉତ୍ତର:- ମୁଁ ବହୁତ ଉତ୍ସାହିତ ରହିଛି। ମୋ ସ୍ବପ୍ନ ସତ ହେବାକୁ ଯାଉଛି।
ପ୍ରଶ୍ନ:- କାହା ସହିତ ପ୍ରଥମ ଦିନ ସିନେମା ଦେଖିବେ?
ଉତ୍ତର – ପରିବାର ଲୋକ, ସାଙ୍ଗମାନଙ୍କ ସହିତ ଦେଖିବି।
ପ୍ରଶ୍ନ :- ତେବେ ଉକ୍ତ ଚଳଚ୍ଚିତ୍ର ପାଇଁ କିପରି ଚୟନ ହେଲେ?
ଉତ୍ତର – ଆମ ସ୍କୁଲରେ ଅଡିସନ ହୋଇଥିଲା। ପ୍ରାୟ ୫୦ ଜଣ ଭାଗ ନେଇଥିଲେ। ନିଜେ ନିର୍ଦ୍ଦେଶିକା ନନ୍ଦିତା ଦାସ ମୋତେ ଚୟନ କରିଥିଲେ।
ପ୍ରଶ୍ନ:- ପ୍ରଥମ ସିନେମାରେ କାମ କରିବାର ଅନୁଭୂତି?
ଉତ୍ତର – ବଡ଼ କଳାକାରଙ୍କ ସହିତ କାମ କରିବାର ସୁଯୋଗ ପାଇଥିବାରୁ ବେଶ୍‌ ଖୁସି ଅନୁଭବ କରୁଛି।
ପ୍ରଶ୍ନ:- ଅଭିନୟ ପ୍ରତି ଆଗ୍ରହୀ ଶିଶୁମାନଙ୍କୁ କ’ଣ କହିବେ?
ଉତ୍ତର – କାମ ଉପରେ ଦୃଷ୍ଟି ଦେବା ଜରୁରୀ। ସଫଳ ହେବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିବା ଆବଶ୍ୟକ।
ପ୍ରଶ୍ନ:- କେଉଁ ସିନେମା ଭଲ ଲାଗିଛି ଏବଂ କେଉଁ ହିରୋ ଓ ହିରୋଇନ ପସନ୍ଦ?
ଉତ୍ତର – ନିକଟରେ ରିଲିଜ ହୋଇଥିବା ସିନେମା ପଠାନ ମୋତେ ଭଲ ଲାଗିଛି। ଶାହାରୁଖ ଖାନ ଓ ଆଲିଆ ଭଟ୍ଟ ମୋର ପସନ୍ଦ।
ପ୍ରଶ୍ନ:- ଭବିଷ୍ୟତରେ କ’ଣ ହେବାକୁ ଆଶା ରଖିଛନ୍ତି?
ଉତ୍ତର-ଡାକ୍ତର ହୋଇ ଅସହାୟ ଲୋକଙ୍କ ସେବା କରିବା। ଏଥିସହ ସଫଳ ଅଭିନେତ୍ରୀ ହେବାଲାଗି ସ୍ବପ୍ନ ରହିଛି।