କେନ୍ଦୁଝର ପାଲଟିଛି ଅଘୋଷିତ ହାତୀ ସଫାରି

କେନ୍ଦୁଝର,୧୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)ହାତୀପଲ ଜଙ୍ଗଲରୁ ବାହାରି ଗାଁ ଗହଳିରେ ବୁଲୁଛନ୍ତି। ଅବାଧରେ ରାସ୍ତା ପାର ହେଉଛନ୍ତି। ଫସଲ ନଷ୍ଟ କରୁଛନ୍ତି, ଘର ଭାଙ୍ଗୁଛନ୍ତି। ଏହା କେନ୍ଦୁଝର ଜିଲାରେ ନିତିଦିନିଆ ଘଟଣା ପାଲଟିଲାଣିା ଅପରପକ୍ଷେ ହାତୀ ଘଉଡ଼ାଇବା, ରାସ୍ତାପାର ହେଲାବେଳେ ହାତୀପଲ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଗାଁ, ରାଜପଥରେ ବର୍ଷତମାମ ହାତୀ ବୁଲୁଥିବାରୁ କେନ୍ଦୁଝର ଜିଲା ଏକ ମୁକ୍ତାକାଶ ହାତୀ ସଫାରିର ଭ୍ରମ ସୃଷ୍ଟି କରୁଛି।
ଯେ, ଜିଲାରେ ପାଖାପାଖି ଦେଢ଼ଶହ ହାତୀ ବିଭିନ୍ନ ଅଞ୍ଚଳରେ ପଲ ହୋଇ ବୁଲୁଛନ୍ତି। ଧନ ଜୀବନର ସୁରକ୍ଷା ପାଇଁ ଗ୍ରାମବାସୀ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମ ଓ ଜଙ୍ଗଲକୁ ଘଉଡ଼ାଇଥାନ୍ତି। ଏହି ସମୟରେ ହାତୀପଲଙ୍କ ଦୌଡ଼ିବା ଦୃଶ୍ୟକୁ ଦୂରରୁ ଅନେକେ ଉପଭୋଗ କରିଥାନ୍ତି। ଅନେକ ଫଟୋ, ଭିଡ଼ିଓ କରି ଏବଂ କେତେ ଜଣ ଦୂରରୁ ହାତୀ ସହ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ବିଶେଷ କରି ପଲରେ ଥିବା ଛୁଆହାତୀ ଅନେକଙ୍କ ପାଇଁ ଆକର୍ଷଣ ପାଲଟିଥାଏ। ବନ ବିଭାଗ ହାତୀ ଚଳପ୍ରଚଳ ଉପରେ ନଜର ରଖି ସମସ୍ତଙ୍କୁ ସଜାଗ କରିବାକୁ ଚେଷ୍ଟା କରୁଛି। ମାତ୍ର ବିଭିନ୍ନ ସମୟରେ ଲୋକେ ହାତୀପଲ ପାଖକୁ ଯାଇ ହଇରାଣ କରି ମଜା ନେଇ ବିପଦକୁ ଡାକୁଛନ୍ତି, ଯାହାକୁ ନେଇ ବନ ବିଭାଗ ଚିନ୍ତା ବ୍ୟକ୍ତ କରିଛି। ଅନ୍ୟପକ୍ଷେ ଚାଷୀ ଓ ସାଧାରଣ ଲୋକ ହାତୀ ଉପଦ୍ରବରେ କ୍ଷତି ସହୁଥିବା ବେଳେ ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ଚାଷୀ ତଥା ମଇଦାନକେଲ ସରପଞ୍ଚ ଭାଗୀରଥି ସିଂ କହିଛନ୍ତି, ସଦର ବ୍ଲକ୍‌ରେ ହାତୀ ଉପଦ୍ରବ ଯୋଗୁ ବହୁ ଫସଲ ନଷ୍ଟ ହୋଇଛି। ଠିକ୍‌ ଆକଳନ କରାଯାଉ ନ ଥିବାରୁ ଉଚିତ ମୂଲ୍ୟ ମିଳୁନି। ଅତିରିକ୍ତ ବନ ସଂରକ୍ଷକ ଅଶୋକ ଦାସ କହିଛନ୍ତି, ହାତୀପଲ ପାଖକୁ ନ ଯିବାକୁ, ସେମାନଙ୍କୁ ଆଘାତ ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଅଘଟଣ ରୋକିବା ପାଇଁ ହାତୀ ଗତିବିଧି ନିରୀକ୍ଷଣ କରାଯାଉଥିବା ସେ କହିଛନ୍ତି। ପୂର୍ବରୁ ହାତୀ ଦେଖିବାକୁ ନନ୍ଦନକାନନ ଯିବାକୁ ପଡୁଥିଲା। ଆଜିକାଲି ହାତୀଙ୍କୁ ରାସ୍ତାରେ ଦେଖି ମଜା ଲାଗୁଛି ବୋଲି କୁହନ୍ତି ପଦ୍ମପୁରର ଦୁର୍ଯ୍ୟୋଧନ ପାତ୍ର।

Share