ଢେଙ୍କିକୋଟ୍,୩ା୭(ନୀଳମଣି ମଣ୍ଡଳ): କେନ୍ଦୁଝର-ଖୋର୍ଦ୍ଧା ମେମୁ ସ୍ପେସିଆଲ ଟ୍ରେନ୍ ଇଞ୍ଜିନରେ ତ୍ରୁଟି ଯୋଗୁ ବସନ୍ତପୁର ସୀତାବିଞ୍ଜ ଷ୍ଟେଶନ ମଝିରେ ଅଟକି ରହିଥିଲା। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାତ୍ରୀ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହୋଇଥିଲେ। ପରେ ଅନ୍ୟ ଏକ ଇଞ୍ଜିନ ଲଗାଯାଇ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା।
ସୀତାବିଞ୍ଜ ଷ୍ଟେଶନ ମାଷ୍ଟର ଜ୍ଞାନ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସକାଳ ୬ ଟା ସମୟରେ କେନ୍ଦୁଝର-ଖୋର୍ଦ୍ଧା ମେମୁ ସ୍ପେସିଆଲ (ନଂ. ୦୮୪୫୫) କେନ୍ଦୁଝରରୁ ଛାଡ଼ିଥିଲା। ମାତ୍ର ୨୫ ମିନିଟ୍ ଚାଲିବା ପରେ ବସନ୍ତପୁର ସୀତାବିଞ୍ଜ ଷ୍ଟେଶନ ମଝିରେ ଇଞ୍ଜିନରୁ ଶବ୍ଦ ବାହାରିଥିଲା। ଲୋକ ପାଇଲଟ ଶବ୍ଦ ଶୁଣି ଟ୍ରେନ୍ ଅଟକାଇ ଦେଇଥିଲେ। ସେଠାରେ କିଛି ସମୟ ରହିବା ପରେ ଅନ୍ୟ ଏକ ଇଞ୍ଜିନ ଦ୍ୱାରା ସୀତାବିଞ୍ଜ ଷ୍ଟେଶନକୁ ନିଆଯାଇଥିଲା। ଜଙ୍ଗଲ ମଝିରେ ଯାତ୍ରୀମାନେ ଗରମ ଗୁଳୁଗୁଳିରେ ଟ୍ରେନ୍ ଭିତରେ ଛଟପଟ ହୋଇଥିଲେ। ଇଞ୍ଜିନିୟରମାନେ ଆସି ମରାମତି କରିବାରେ ବିଫଳ ହୋଇଥିଲେ। ଫଳରେ ଅନ୍ୟ ଏକ ଇଞ୍ଜିନ ଦ୍ୱାରା ଟ୍ରେନ୍ ୧୦ ଟା ୫ ମିନିଟ୍ରେ ଖୋର୍ଦ୍ଧା ଅଭିମୁଖେ ବାହାରିଥିଲା। ସେତେବେଳକୁ ଟ୍ରେନ୍ ୩ ଘଣ୍ଟା ୫ ମିନିଟ ବିଳମ୍ବ ହୋଇସାରିଥିଲା। ଷ୍ଟେଶନ ମାଷ୍ଟର କହିଛନ୍ତି, ଇଞ୍ଜିନ ଠିକ ଥିଲା କିନ୍ତୁ ମାତ୍ର ରାସ୍ତାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।