କେନ୍ଦୁଝରର ନିଆରା ସ୍ନାନ ପୂର୍ଣ୍ଣିମା: ଅଁଳା-ତୁଳସୀ ପତ୍ରରେ ସଜେଇ ହୁଅନ୍ତି ଶ୍ରୀ ଜୀଉ, ପିନ୍ଧନ୍ତି ତାଳ ମୁକୁଟ

କେନ୍ଦୁଝର,୨୧।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ। ତାଙ୍କର ରଥକୁ ସର୍ବୋଚ୍ଚ ରଥ ଭାବେ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଚାରିଶହ ବର୍ଷରୁ ଉଦ୍ଧର୍‌ବ ଏଠାକାର ଶ୍ରୀଜୀଉଙ୍କ ମନ୍ଦିରକୁ ଦ୍ୱିତୀୟ ବୃହତ ବିଷ୍ଣୁ ମନ୍ଦିର ବୋଲି କୁହାଯାଇଥାଏ। ଏଠାରେ ରଥ ଯାତ୍ରା ନିଆରା ଢଙ୍ଗରେ ପାଳନ ହୋଇ ଆସୁଥିଲେ ହେଁ ପାରମ୍ପରିକ ରୀତି ନୀତି ବଜାୟ ରହିଛି। ଚଳିତ ବର୍ଷ ପବିତ୍ର ସ୍ନାନ ପୂର୍ଣ୍ଣିମା ଲାଗି ପ୍ରସ୍ତୁତି ଶେଷ ହୋଇଛି।

ତେବେ ନୀତି ଅନୁଯାୟୀ ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏଠାରେ ଶ୍ରୀ ଜୀଉଙ୍କର ମାସେ ବ୍ୟାପୀ ଚନ୍ଦନ ଯାତ୍ରା ଓ ଚାପ ଖେଳ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳୁ ପ୍ରାତଃ ଅବକାଶ ପରେ ପୂଜାନୀତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୁଏ। ଏହା ପରେ ଚକା ଭିଡ଼ା ହୋଇ ଠାକୁରମାନେ ସିଂହାସନ ଛାଡନ୍ତି। ଶ୍ରୀ ଜୀଉଙ୍କୁ ପୂର୍ବାହ୍ନରେ ଧାଡ଼ି ପହଣ୍ଡିରେ ସ୍ନାନ ବେଦୀକୁ ପାହାଡିଆ ସେବାୟତ ମାନେ ନେଇଥାନ୍ତି। ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ। ପଞ୍ଚାମୃତ ସ୍ନାନ, ନାରିକେଳ ସ୍ନାନ, ଗନ୍ଧ ଧୂପ ସ୍ନାନ ଆଦି ନୀତି ହୁଏ। ପରେ ଶ୍ରୀଜୀଉଙ୍କ ପୂଜା, ଲୁଗା ଲାଗି, ଚନ୍ଦନ ଲାଗି ଇତ୍ୟାଦି କରାଯାଏ। ସେଠାରେ ନୀତିକାନ୍ତି ସରିବା ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥାଏ। ତା’ପରେ ଶ୍ରୀ ଜୀଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରାଯାଏ। ତେବେ ଏଠାରେ ଶାଳପତ୍ରରେ ତୁଳସୀ ସହ ଶ୍ରୀ ଜଗନ୍ନାଥଙ୍କ ବେଶ ହୁଏ। ଶାଳ ପତ୍ରରେ ଅଁଳା ରଖାଯାଇ ଶ୍ରୀ ବଳଦେବଜୀଉଙ୍କ ବେଶ ହୁଏ। ଏହାପରେ ଶ୍ରୀ ଜୀଉ ମାନଙ୍କୁ ତାଳ ମୁକୁଟ ପିନ୍ଧା ଯାଏ। ଏହାହିଁ ଏଠାକାର ନିଆରା ପରମ୍ପରା। ତାପରେ ପୂଜାର୍ଚ୍ଚନା ଓ ପୁଷ୍ପାଞ୍ଜଳି ପରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କୁ ଗୋଟି ପହଣ୍ଡିରେ ମନ୍ଦିରକୁ ବିଜେ କରାଯାଇଥାଏ ବୋଲି ମନ୍ଦିରର ବରିଷ୍ଠ ପୂଜକ ସୁଜିତ ଦାଶ କହିଛନ୍ତି। ଆମର ଶ୍ରୀଜୀଉ ଙ୍କ ନୀତିକାନ୍ତି , ପୂଜାର୍ଚ୍ଚନା ନିଆରା। ଏଭଳି ଅଲୌକିକ ବେଶ ଓ ଦୃଶ୍ୟ ଦେଖିବାକୁ ଏଠାର ଭକ୍ତଙ୍କ ଭିଡ ଜମେ ବୋଲି ସ୍ଥାନୀୟ ବରିଷ୍ଠ ସେବକ ନିମାଇଁ ଚରଣ ଦାଶ କହିଛନ୍ତି ।

Share