Categories: ଜାତୀୟ

କୋଚିରେ ଏକ ଖ୍ରୀଷ୍ଟିଆନ୍‌ ପ୍ରାର୍ଥନା ସଭାରେ ୫ ବିସ୍ଫୋରଣ: ଜଣେ ମୃତ, ୨୩ ଆହତ

କୋଚି,୨୯।୧୦: କେରଳର କୋଚିରେ ଏକ କନ୍‌ଭେସନ(ସମ୍ମିଳନୀ) ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଠାରେ ଗୋଟିଏ ପରେ ଗୋଟିଏ ୫ ବିସ୍ଫୋରଣ ଘଟିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ଖ୍ରୀଷ୍ଟିଆନ୍‌ ସମ୍ମିଳନୀ କେନ୍ଦ୍ରରେ ଏକ ପ୍ରାର୍ଥନା ସଭା ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।

ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଖବର ଲେଖାଯିବା ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ପୋଲିସ ଅଞ୍ଚଳକୁ ଚାରିଆଡୁ କର୍ଡନ କରି ତଦନ୍ତ ଜାରି ରଖିଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ବିସ୍ଫୋରଣ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି। ତେବେ ଏହି ସିରିୟଲ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି।

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଆମେ ଘଟଣା ସହ ଜଡ଼ିତ ବିବରଣୀ ସଂଗ୍ରହ କରୁଛି। ସମସ୍ତ ବରିଷ୍ଠ ଅଧିକାରୀ ଏର୍ନାକୁଲମରେ ଅଛନ୍ତି। ଡିଜିପି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଏହାକୁ ଆମେ ବହୁତ ଗମ୍ଭୀରତାର ସହ ନେଉଛି। ଅନୁସନ୍ଧାନ ପରେ ବିସ୍ଫୋରଣ ନେଇ ଅଧିକ ସୂଚନା ମିଳିବ ବୋଲି ସେ କହିଛନ୍ତି।

Share