ଥିରୁଭାନ୍ତମପୁରମ୍,୨୩।୧: କେରଳରେ ଅଲପ୍ପୁଜାରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଇସ୍ରୋର ୫ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଇସ୍ରୋର ୫ଜଣ କର୍ମଚାରୀ ଏକ କାର୍ରେ ଥିରୁଭାନ୍ତମପୁରମ ଯାଉଥିବା ବେଳେ ଜାତୀୟ ରାଜପଥରେ ସାମ୍ନାରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କର ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଏତେ ବଡ଼ ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ତେବେ ମୃତକଙ୍କ ପରିଚୟ ପ୍ରସାଦ, ଶିଜୁ, ଅମଲ, ସଚିନ ଓ ସୁମୋଦ ରୂପେ ମିଳିଛି। ଏମାନେ ଥିରୁଭାନ୍ତମପୁରମର ଇସ୍ରୋ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିଲେ ବୋଲି ଅମ୍ବାଲାପ୍ପୁଝା ପୋଲିସ ସୂଚନା ଦେଇଛି।