କୋଚି,୧୩।୧: ଜଣେ ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତକାରୀ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ମାମଲାର ତଦନ୍ତ କରୁଥିବା କେରଳ ପୋଲିସର କ୍ରାଇମ ବ୍ରାଞ୍ଚ ଶାଖା ଗୁରୁବାର ଅଭିନେତା ଦୀଲିପ ଓ ତାଙ୍କ ଭାଇଙ୍କ ଘର ଉପରେ ଚଢ଼ାଉ କରିଛି। ଏଥିସହ ଅଭିନେତାଙ୍କ ପ୍ରଡକଶନ ହାଉସ ଗ୍ରାଣ୍ଡ ପ୍ରଡକଶନ କମ୍ପାନୀ ଉପରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।
୨୦୧୭ର ଯୌନ ନିର୍ଯାତନା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ ଅଭିନେତା। ଏହାର ଏକ ଅଡିଓ କ୍ଲିପ୍ ସ୍ଥାନୀୟ ଟିଭି ଚ୍ୟାଲେନରେ ରିଲିଜ ହେବା ପରେ ରବିବାର ଏ ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଇକୋର୍ଟ ଦୀଲିପ, ତାଙ୍କ ଭାଇ ଓ ଭିଣେଇଙ୍କୁ ଅଗ୍ରିମ ଜାମିନ ପ୍ରଦାନ କରିଛନ୍ତି।
ତେବେ ଚଢ଼ାଉରୁ କ୍ରାଇମ ବ୍ରାଞ୍ଚ ଅଧିକାରୀଙ୍କ ହାତରେ କ’ଣ ଲାଗିଛି, ତାହା ଜଣାପଡ଼ି ନାହିଁ। ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ୩ ଦଳ ଏକା ସାଙ୍ଗରେ ୩ ସ୍ଥାନରେ ଚଢ଼ାଉ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଥିବା ଭିଡିଓରେ ଅଧିକାରୀଙ୍କ ଦଳକୁ କିଛି ସମୟ ପାଇଁ ଦୀଲିପଙ୍କ ଘର ଓ କମ୍ପାନୀ ଆଗରେ ଅପେକ୍ଷା କରିବାକୁ ପଡ଼ିଥିଲା। ଉଭୟ ସ୍ଥାନରେ ଗେଟ ଖୋଲା ଯିବା ପରେ ଅଧିକାରୀମାନେ ଭିତରକୁ ପଶିଥିଲେ।