ଥିରୁଭାନନ୍ତପୁରମ୍,୧୫।୪: ଗୋଟିଏ ଦିନରେ ଦୁଇ ଲକ୍ଷରୁ ଅଧିକ କରୋନା ମାମଲା ରେକର୍ଡ ହେବା ପରେ ଭାରତରେ ମୋଟ ସଂକ୍ରମଣ ଏକ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ରେ ପହଞ୍ଚିଛି। ଗତ ସାତ ମାସ ମଧ୍ୟରେ କେରଳର କୃଷି ମନ୍ତ୍ରୀ ଭି.ଏସ ସୁନୀଲ କୁମାର ଦ୍ୱିତୀୟ ଥର କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି। ମନ୍ତ୍ରୀ ନିଜ ଫେସବୁକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଏଠାରେ ଥିବା ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ମଧ୍ୟ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି। ସେ କହିଛନ୍ତି ଯେ ଗୁରୁବାର ଦିନ ସେ କରୋନା ଟିକା ନେବାକୁ ପ୍ରସ୍ତୁତ ହେଉଥିଲେ। ଏହାପୂର୍ବରୁ ସେ ଗତ ବର୍ଷ ସେପ୍ଟେମ୍ବରରେ କରୋନା ସଂକ୍ରମିତ ହୋଇଥିଲେ।