Categories: ଖେଳ

କେରଳ, ବେଙ୍ଗଲ, ପଞ୍ଜାବ ବିଜୟୀ

ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ କେରଳ, ବେଙ୍ଗଲ ଓ ପଞ୍ଜାବ ଦଳ ବିଜୟୀ ହୋଇଛନ୍ତି। ୭ମ ବାଟାଲିୟନ ପରିସରରେ ଥିବା ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ କେରଳ ୪-୦ ଗୋଲରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି।

ବିଜୟୀ ଦଳ ପକ୍ଷରୁ ବଦଳ ଖେଳାଳି ମହମ୍ମଦ ସବେଲ ଏ.ଏସ. ୭୯ ଓ ୯୦ ମିନିଟରେ ୨ଟି ଏବଂ ସିନାନ ଜଲିଲ ୧୫ ଓ ମହମ୍ମଦ ଆନାସ ୪୫+୩ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ପଡ଼ିଆରେ ଅନୁଷ୍ଠିତ ଗୋଆ-ସାଇ (ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ) ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଗୋଆ ପକ୍ଷରୁ ଫାବିଓ ମାର୍ଟିନ୍ସ ୭ମ ଓ ସଙ୍ଗମ ସୁଭାଷ ଶେଟେ ୫୯ ମିନିଟ ଏବଂ ସାଇ ପକ୍ଷରୁ ମହମ୍ମଦ ହୁସେନ ୨୨ ଓ ପାଙ୍ଗାଇ କୋନ୍ୟାକ ୭୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓ୍ବେଷ୍ଟ ବେଙ୍ଗଲ ୩-୨ ଗୋଲରେ ମେଘାଳୟକୁ ହରାଇ ଦେଇଛି। ବେଙ୍ଗଲ ଦଳର ତନବୀର ଦେ ୬୧ ଓ ୯୦+୪ ମିନିଟରେ ୨ଟି ଏବଂ ସାହିଲ ମଣ୍ଡଳ ୭୦ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ମେଘାଳୟ ପକ୍ଷରୁ ଅଧିନାୟକ ମେବାନଲାମଲିନ୍ତି ମଶରିଙ୍ଗ ୧୭ ଓ ଜୋନାଥନ ମାଓ୍ବା ୭୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ପଞ୍ଜାବ ୨-୦ ଗୋଲରେ ତାମିଲନାଡ଼ୁକୁ ହରାଇ ଦେଇଛି। ବିଜୟୀ ଦଳର ଲଖବିନ୍ଦର ସିଂ ୪୫+୨ ଓ ୮୪ତମ ମିନିଟରେ ୨ଟି ଗୋଲ ଦେଇଥିଲେ।

Share