Categories: ଜାତୀୟ

ଅଗ୍ନିପଥ ଯୋଜନାକୁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ପ୍ରାୟ ୧୫ ରାଜ୍ୟରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି । କେରଳରେ ଯୁବକମାନେ ରାଜଭବନ ଘେରାଉ କରିଛନ୍ତି । ରାଜସ୍ଥାନରେ ବି ଏହାକୁ ବିରୋଧ କରାଯାଉଛି । ତାମିଲନାଡୁ, କର୍ନାଟକ, ଆନ୍ଧ୍ରପ୍ରଦେଶରେ ବି ସମାନ ସ୍ଥିତି । ତେଲେଙ୍ଗାନା, ବିହାର ଓ ଉତ୍ତର ପ୍ରଦେଶରେ ଏହାକୁ ନେଇ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରରେ ଏବେ ପର୍ଯ୍ୟନ୍ତ ୭୫୦ରୁ ଅଧିକ ଏଫଆଇଆର ଦିଆଗଲାଣି । ଏହାକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଅଗ୍ନିପଥ ଯୋଜନାକୁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ସ୍ଥଗିତ ରଖିବା ସହ ଯୁବକଙ୍କ ହିତ ଉଦ୍ଦେଶ୍ୟରେ କିଛି ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଟୁଇଟ କରି କହିଛନ୍ତି । ସେ କହିଛନ୍ତି ଏହି ଯୋଜନାକୁ ନେଇ ସାରା ଦେଶରେ ଯେଉଁଭଳି ଭାବରେ ବିରୋଧ ପ୍ରଦର୍ଶନ କରାଯାଉଛି ଏଥିରୁ ସ୍ପଷ୍ଟ ହେଉଛି ଯେ ଏହି ଯୋଜନାକୁ ନେଇ ଯୁବକମାନେ ଆଦୌ ଖୁସି ନାହାନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ଥଗିତ କରି କିଛି ଭଲ ନିଷ୍ପତ୍ତି ନିଅନ୍ତୁ ।
ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଯୁବକଙ୍କ ରାଗର କାରଣ ହୋଇଛି । କେନ୍ଦ୍ର ସରକାର ପୁଣିଥରେ ଏହା ଉପରେ ବିଚାର କରନ୍ତୁ । ଏହି ଯୋଜନାକୁ କେତେଜଣ ପୂର୍ବତନ ସେନା ବି ବିରୋଧ କରୁଛନ୍ତି । ତେଣୁ ସେନା ଚାକିରି ପାର୍ଟ ଟାଇମ ଜବ୍ ଭଳି ହେବା ଅନୁଚିତ ବୋଲି ସେ କହିଛନ୍ତି । ସେନାର ଅନୁଶାସନ ପାଇଁ ଏହା କ୍ଷତିକାରକ ବୋଲି ଷ୍ଟାଲିନ କହିଛନ୍ତି ।

Share