Categories: ଜାତୀୟ

କେରଳ ରାଜ୍ୟପାଳଙ୍କ ସୁରକ୍ଷାରେ ତ୍ରୁଟି, ୨ ଗିରଫ

ତିରୁବନନ୍ତପୁରମ୍‌,୨୯।୭: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କ ସୁରକ୍ଷା ଢ଼ିଲାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାଲାଗି ସେ ଶନିବାର ସକାଳୁ ନୋଏଡା ସେକ୍ଟର-୭୭ ପହଞ୍ଚିଥିଲେ। ଏହି ସମୟରେ ଏକ ଅଜ୍ଞାତ କଳା ରଙ୍ଗର ସ୍କର୍ପିଓ କାର ତାଙ୍କ ଫ୍ଲିଟ୍‌ ମଧ୍ୟକୁ ଚାଲି ଆସିଥିଲା। ପରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉକ୍ତ ଗାଡ଼ିକୁ ଧକ୍କା ଦେଇଥିଲା।

ରାଜ୍ୟପାଳ ଆରିଫ ମହମ୍ମଦ ଦିଲ୍ଲୀକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଏହି ମାମଲାରେ ପୋଲିସ ଘଟଣାସ୍ଥଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗୌରବ ସୋଲଙ୍କି ଏବଂ ମୋନୁ କୁମାର। ଉଭୟ ଯୁବକ ନିଶାସକ୍ତ ଥିବା ବେଳେ ସେମାନଙ୍କ କାର୍‌କୁ ଜବତ କରିନିଆଯାଇଛି। ଦୁହେଁ ଗାଜିଆବାଦର ବାସିନ୍ଦା। ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।

ଘଟଣା ପରେ ରାଜ୍ୟପାଳଙ୍କୁ ଦିଲ୍ଲୀ ପଠାଯାଇଛି। ତେବେ ରାଜ୍ୟପାଳଙ୍କ କନଭେନ୍‌ରେ ଏଭଳି ଏକ ଅଜଣା ଗାଡ଼ି ପ୍ରବେଶ ପରେ ନୋଏଡା ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share