ସଂକ୍ରମଣ ଶୀର୍ଷ ଅତିକ୍ରମ କରି ସାରିଛି କେରଳ: ଏମ୍ସ୍‌…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଆତଙ୍କ ସୃଷ୍ଟି ହୋଇଛି। କେରଳରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଯୋଗୁ ଦେଶର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଏମ୍ସ୍‌ ପକ୍ଷରୁ କୁହାଯାଇଛି ଯେ, କେରଳ ଶୀର୍ଷ ସଂକ୍ରମଣ ଅତିକ୍ରମ କରି ସାରିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ରାଜ୍ୟର ସ୍ଥିତି ସ୍ବାଭାବିକ ଆଡ଼କୁ ଗତି କରିବ ବୋଲି ଏମ୍ସ୍‌ ପ୍ରଫେସର ଡ. ସଞ୍ଜୟ ରାୟ ସୂଚନା ଦେଇଛନ୍ତି।

ଅକ୍ଟୋବର ଆରମ୍ଭ ବେଳକୁ କେରଳରେ ଦୈନିକ ସଂକ୍ରମଣ କମିବା ଆରମ୍ଭ କରିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦୈନିକ ସଂକ୍ରମଣର ୩୦,୦୦୦ରୁ ଅଧିକ ରହିବା ପରେ ଏବେ ଏହା କମିବାରେ ଲାଗିଛି। ବୁଧବାର ସୁଦ୍ଧା ରାଜ୍ୟରେ ଦୈନିକ ସଂକ୍ରମଣ ୧୫,୮୭୬ରେ ପହଞ୍ଚିଛି। ରାଜ୍ୟର ଗତ ୨-୩ ମାସର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ମହାମାରୀ ନିଜର ଶୀର୍ଷ ଅତିକ୍ରମ କରିଛି ଏବଂ ଆସନ୍ତା ୨ ସପ୍ତାହ ମଧ୍ୟରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିବାର ସମ୍ଭାବନା ରହିଛି।

ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପରି କେରଳରେ ମଧ୍ୟ କରୋନା ସଂକ୍ରମଣ କମିବା ଆରମ୍ଭ କରିଥିବା ଡ.ରାୟ କହିଛନ୍ତି। ଏପିଡେମୋଓଲୋଜିକାଲ ଗ୍ରାଫ୍‌ ଅନୁଯାୟୀ ଅକ୍ଟୋବର ଆରମ୍ଭ ବେଳକୁ ରାଜ୍ୟରେ ବିଶେଷ ସୁଧାର ଆସି ସାରିଥିବ।

ସର୍ବଶେଷ ସେରୋ ସର୍ଭେରୁ ଜଣାପଡିଛି ଯେ ଟିକା ନେବା ଦ୍ୱାରା କିମ୍ବା ସଂକ୍ରମଣ ଯୋଗୁ ରାଜ୍ୟର ୪୬ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ ସଂକ୍ରମଣ କମିବାରେ ଲାଗିଛି।

ଇତିମଧ୍ୟରେ ରାଜ୍ୟର ମୋଟ ୪୪,୦୬,୩୬୫ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ ତଳକୁ ଖସି ଆସିଛି। ଏବେ ଏହା ୧.୯୮,୮୬୫ରେ ପହଞ୍ଚିଛି। ସୋମବାରରୁ ମଙ୍ଗଳବାର ମଧ୍ୟରେ ୨୫,୬୫୪ ଜଣେ ଲୋକ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪୧,୮୪, ୧୫୮କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୦୫,୦୦୫ ଜଣଙ୍କ ନମୁନା ପରୀକ୍ଷା କରାଯିବା ପରେ ପଜିଟିଭିଟି ହାର ୧୫.୧୨ ପ୍ରତିଶତରେ ରହିଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

ରାଜ୍ୟର ୧୪ ଜିଲା ମଧ୍ୟରେ ଥ୍ରିସୁରରେ ସର୍ବାଧିକ ୧,୯୩୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏର୍ନାକୁଲମରେ ୧,୮୯୩, ଥିରୁଭାନନ୍ତପୁରମରେ ୧,୬୨୭, ପାଲାକ୍କଡରେ ୧,୫୯୧, ମାଲାପୁରମ୍‌ରେ ୧,୫୨୩ , କୋଲମରେ ୧,୩୭୩, ଆଲାପୁଝାରେ ୧,୧୧୮, କୋଝିକୋଡେ ୧,୧୧୭, କନ୍ନୁରରେ ୧,୦୯୯ ଏବଂ କୋଟାୟାମରେ ୧,୦୪୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି।

Share