ଉପରମୁହାଁ ଦୈନିକ ସଂକ୍ରମଣ ପାଇଁ କେରଳ ଦାୟୀ…

ନୂଆଦିଲ୍ଲୀ,୨୩।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିବା ପରେ ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ଏହି ସମୟ ମଧ୍ୟରେ କରୋନାରେ ୨୮୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୩ ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି ସମୟ ମଧ୍ୟରେ ୩୧ ହଜାର ୧୬୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୭୭ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୧ ହଜାର ୬୦୪ ଜଣ ଚିକିତ୍ସିତ ହେଉଛନ୍ତି।

୧୮୭ ଦିନ ପରେ ସକ୍ରିୟ ମାମଲା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୯୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୬ ହଜାର ୫୦ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୮୩ କୋଟି ୩୯ ଲକ୍ଷ ୯୦ ହଜାର ୪୯ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭୧ ଲକ୍ଷ ୩୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୫ କୋଟି ୮୩ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ଲକ୍ଷ ୨୭ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୮ ଲକ୍ଷ ୧୫ ହଜାର ୭୩୧ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜମା ହେବାକୂଥିବା ଭିଡ଼କୁ ନେଇ ସରକାରଙ୍କ ଭୟ ବଢ଼ିବାରେ ଲାଗିଛି।

କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଉପରମୁହାଁ ଦୈନିକ ସଂକ୍ରମଣ କେରଳ ଯୋଗୁ ହେଉଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୬୭୫ ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୧୪୨ ଛୁଇଁଛି।

Share