ଅନ୍‌ଲାଇନ୍‌ରେ ଚିହ୍ନଟ ହେବ କରୋନା ଆକ୍ରାନ୍ତଙ୍କ ମୃତଦେହ: ପୋର୍ଟାଲରେ ମିଳିବ ସୂଚନା

ଥିରୁଭାନ୍ତମପୁରମ,୬।୮: କେରଳରେ କରୋନା ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ମୃତଦେହ ଚିହ୍ନଟକୁ ନେଇ ସରକାରଙ୍କ ସମସ୍ୟା ବଢ଼ିଯାଇଛି। ଏଣିକି କରୋନା ଆକ୍ରାନ୍ତଙ୍କ ମୃତଦେହ ଚିହ୍ନଟ ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। କେରଳ ସରକାର ଏକ ପୋର୍ଟାଲ ଜାରି କରିଛନ୍ତି। ଯେଉଁଥିରେ କରୋନାଜନିତ ହୋଇଥିବା ମୃତ୍ୟୁ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ପୋର୍ଟାଲରେ ମୃତଦେହ ପରିଚୟ ଚିହ୍ନଟ ପାଇଁ ନାମ, ବୟସ, ଲିଙ୍ଗ, ଜିଲା ଓ ମୃତ୍ୟୁ ତାରିଖ ମଧ୍ୟ ଉଲ୍ଲେଖ କରାଯିବ। ସରକାର ଏହି ପୋର୍ଟାଲକୁ ‘ମୃତ୍ୟୁ ସୂଚନା ପୋର୍ଟାଲ’ ନାମରେ ନାମିତ କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ କରୋନା ଯୋଗୁ ହୋଇଥିବା ମୃତ୍ୟୁ ବିଷୟରେ ସୂଚନା ଦିଆଯିବ। ଏହି ପୋର୍ଟାଲକୁ ନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଭୟ ସରକାରୀ ଅନୁଷ୍ଠାନ ଓ ଜନସାଧାରଣ ନିକଟରେ ଏହି ପୋର୍ଟାଲକୁ ନିୟନ୍ତ୍ରଣ କରିବାର ଅଧିକାର ରହିବ। ଏହି ପୋର୍ଟାଲ ମାଧ୍ୟମରେ ରୋଗୀଙ୍କ ସମ୍ପର୍କୀୟମାନେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଭୀନା କହିଛନ୍ତି।

Share