Categories: ଫୁରସତ

ଅନ୍‌ଲାଇନ୍‌ରେ ମଗାଇଥିଲେ ଆଇଫୋନ୍‌-୧୨; ପ୍ୟାକେଟ୍‌ ଖୋଲିବା ପରେ ବ୍ୟକ୍ତିଙ୍କ ଉଡିଗଲା ହୋସ୍‌…

ଆଜିକାଲି ସମୟରେ ଅନଲାଇନ ମାର୍କେଟିଂର ଚାହିଦା ବହୁତ ବୃଦ୍ଧି ପାଇଛି। ଏହାଦ୍ୱାରା ଲୋକମାନେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରିପାରୁଛନ୍ତି। ହେଲେ ବେଳେବେଳେ ଲୋକମାନେ କିଛି ସାମଗ୍ରୀ ଅର୍ଡର କରି ଠକାମୀର ଶିକାର ହୋଇଥାନ୍ତି। ସେମାନେ ମଗାଇଥାନ୍ତି ଗୋଟିଏ ସାମଗ୍ରୀ, ଆସେ ଆଉ ଗୋଟିଏ। ଏଥିପାଇଁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। କେରଳର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। ସେ ଇ-କମର୍ସ ୱେବସାଇଟରୁ ଆଇଫୋନ ୧୨କୁ ଅର୍ଡର କରିଥିଲେ। କିନ୍ତୁ ସେ ପ୍ୟାକେଟ ଖୋଲିବା ମାତ୍ରେ ଚକିତ ହୋଇଯାଇଥିଲେ। କାରଣ ସେହି ପ୍ୟାକେଟରୁ ଏକ ବାସନମଜା ସାବୁନ ଏବଂ ପାଞ୍ଚ ଟଙ୍କିଆ ମୁଦ୍ରା ବାହାରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ପୂର୍ଣ୍ଣ ଘଟଣା ଏଭଳି। ଆଲୁଭା ନିବାସୀ ନୁରୁଲ ଆମିନ ଆମାଜନରୁ ଏକ ଆଇଫୋନ ୧୨ ଅର୍ଡର କରିଥିଲେ। ଏହାର ମୂଲ୍ୟ ୭୦,୯୦୦ ଟଙ୍କା ଥିଲା। ସେ ଅକ୍ଟୋବର ୧୨ରେ ଫୋନ୍‌ ବୁକ କରିଥିଲେ। ଅକ୍ଟୋବର ୧୫ରେ ଫୋନ ପାଖେ ପହଞ୍ଚିଥିଲା। ସେ ପ୍ୟାକେଟ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ୟାକେଟ୍‌ରେ ଏକ ଭିମ୍‌ ସାବୁନ ଏବଂ ୫ ଟଙ୍କା ମୁଦ୍ରା ଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ସହ ଏପରି ଘଟଣା ଘଟିବ ବୋଲି ସେ କଳ୍ପନା କରି ନ ଥିଲେ। ସୌଭାଗ୍ୟବଶତଃ ସେ ବାକ୍ସ ଖୋଲିବାବେଳେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ।

ବିଳମ୍ବ ନକରି ନୁରୁଲ ଏହି ବିଷୟରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ଅନୁସନ୍ଧାନ ପରେ ସେ ତାଙ୍କ ଟଙ୍କା ଫେରସ୍ତ ପାଇଥିଲେ। ଘଟଣାକୁ ନେଇ ସାଇବର ପୋଲିସ ଷ୍ଟେଶନ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ନରୁଲ ଯେଉଁ ଫୋନ ପାଇବାକୁ ଯାଉଥିଲେ ସେପ୍ଟେମ୍ବରରୁ ଝାଡ଼ଖଣ୍ଡର କେହି ଜଣେ ଏହାକୁ ବ୍ୟବହାର କରୁଥିବା ଜଣାପଡ଼ିଛି। ଏହି ମାମଲାରେ ଉପସ୍ଥିତ ଥିବା ଆଇଏମ୍‌ଇଆଇ ନମ୍ବରକୁ ଦେଖିବା ପରେ ଏସବୁ ଜାଣିହେଲା।

Share