Categories: ଜାତୀୟ

‘ଅପରେଶନ ଗଙ୍ଗା’ ନାଁରେ ଶିଶୁର ନାମକରଣ କରିବେ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟ ଦମ୍ପତି

ୱାରସ/ଥିରୁଭାନନ୍ତପୁରମ,୬ ।୩: ୟୁକ୍ରେନର କ୍ୱିଭରେ ରେସ୍ତୋରାଁ କରିଥିବା କେରଳର ଜଣେ ବ୍ୟକ୍ତି ଅଭିଜିତ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଫସି ଯାଇଛନ୍ତି । ଏବେ ତାଙ୍କ ପତ୍ନୀ ୯ ମାସର ଗର୍ଭବତୀ ଥିବା ବେଳେ ମାର୍ଚ୍ଚ ୨୬ରେ ସନ୍ତାନ ପ୍ରସବ ହେବାର ସୂଚନା ଦେଇଛନ୍ତି ଡାକ୍ତର । ଏବେ ଅଭିଜିତ ତାଙ୍କ ପତ୍ନୀଙ୍କ ସହ ପୋଲାଣ୍ଡ ସୀମାରେ ପହଞ୍ଚି ଯାଇଥିବା ବେଳେ ସେଠାରେ ତାଙ୍କ ପତ୍ନୀଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାର୍ଚ୍ଚ ୨୬ରେ ସନ୍ତାନ ପ୍ରସବ ହେବାକୁ ଥିବା ବେଳେ ସେ ଜନ୍ମିତ ସନ୍ତାନର ନାମ ‘ଅପରେଶନ ଗଙ୍ଗା’ ନାଁରେ ନାମିତ କରିବେ ବୋଲି କହିଛନ୍ତି । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଏହି ଦମ୍ପତି ୟୁକ୍ରେନରେ ଫସି ଯାଇଥିବା ବେଳେ ଭାରତ ସରକାରଙ୍କ ଅପରେଶନ ଗଙ୍ଗା ଜରିଆରେ ସେମାନେ ସୁରକ୍ଷିତ ଭାବେ ପୋଲାଣ୍ଡ ସୀମାରେ ପହଞ୍ଚିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ଶିଶୁର ନାମ ଅପରେଶନ ଗଙ୍ଗା ନାଁରେ ନାମକରଣ କରିବେ ବୋଲି କହିଛନ୍ତି ଅଭିଜିତ ।
ସୂଚନାଯୋଗ୍ୟ, ଫେବୃୟାରୀ ୨୪ରେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବାର ୧୧ ଦିନ ବିତି ଯାଇଥିଲେ ବି ସେଠାରେ ଲାଗି ରହିଛି ଧ୍ୱଂସର ତାଣ୍ଡବ ଲୀଳା । ହେଲେ ସେଠାରେ ଥିବା ଭାରତୀୟଙ୍କୁ ଭାରତ ସରକାର ଅପରେଶନ ଗଙ୍ଗା ମାଧ୍ୟମରେ ସ୍ୱଦେଶ ଫେରାଇ ଆଣିବାରେ ବେଶ୍ ତତ୍ପରତା ଦେଖାଇଛନ୍ତି । ଭାରତୀୟଙ୍କ ସୁରକ୍ଷା ଭାରତ ସରକାରଙ୍କର ପ୍ରାଥମିକତା ବୋଲି କୁହାଯାଇଛି ।

Share