ଭଗବାନଙ୍କ ଦର୍ଶନ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ

ଥିରୁଭାନନ୍ତପୁରମ,୧୭ ।୧୦: କରୋନା ଭାଇରସ ମହାମାରୀ ପାଇଁ ଦୀର୍ଘ ପ୍ରାୟ ୬ ମାସ ହେବ ବନ୍ଦ ରହିଥିବା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଶନିବାର ସକାଳୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି । ତେବେ କରୋନାର ସମସ୍ତ କଟକଣାକୁ ମାନି ଭଗବାନଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଥମତଃ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଜଣେ ଭକ୍ତ କରୋନା ମୁକ୍ତ ହୋଇଥିବା ଦରକାର । ଏଥିପାଇଁ ପ୍ରଥମେ ତାଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ଏହାସହ ମାସ୍କ ନ ପିନ୍ଧିଲେ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ । ମାସିକ ପୂଜା ଲାଗି ମନ୍ଦିର ଶୁକ୍ରବାର ଖୋଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ କିନ୍ତୁ ଶନିବାରଠାରୁ ଏହା ଖୋଲାଯାଇଛି । ଅକ୍ଟୋବର ୨୧ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଏଠାରେ ପୂଜାର୍ଚ୍ଚନା କରିପାରିବେ । ତେବେ ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ ରିପୋର୍ଟ ନ ଥିବ ସେମାନେ ରାପିଡ ଆଣ୍ଟିଜେନ ଟେଷ୍ଟ କରି ମନ୍ଦିର ମଧ୍ୟକୁ ଯାଇ ପାରିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରୁ କରୋନା ମହାମାରୀ ସଂକ୍ରମଣକୁ ଦେଖି ମନ୍ଦିର ବନ୍ଦ କରାଯାଇଥିବା ବେଳେ ଏବେ ପ୍ରଥମଥର ଲାଗି ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲି ଦିଆଯାଇଛି ।

Share