ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ ହଟାଇବେ ସରକାର

ଥିରୁଭାନ୍ତମପୁରମ,୪।୮: କେରଳରେ କରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସୁଛି। ଇତିମଧ୍ୟରେ ବୁଧବାର କେରଳ ସରକାର ରାଜ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କରୋନା ସ୍ଥିତି ନେଇ ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟେଷ୍ଟ ପଜିଟିଭିଟି ହାରର ବର୍ଗୀକରଣକୁ ନେଇ ରାଜ୍ୟ ସରକାରଙ୍କୁ ଅତିରିକ୍ତ ମାନଦଣ୍ଡ ସ୍ଥିର କରିବାକୁ ପରାମର୍ଶ ମିଳିଥିଲା। ସପ୍ତାହାନ୍ତ ଲକ୍‌ଡାଉନ ବିଫଳ ହେବା ପରେ ଟ୍ରିପଲ୍‌ ଲକ୍‌ଡାଉନ ନେଇ ସରକାର ବିଚାର କରନ୍ତୁ ବୋଲି କୋଭିଡ ମ୍ୟାନେଜମେଣ୍ଟ ପ୍ୟାନେଲର ବିଶେଷଜ୍ଞ ଟିମ୍‌ ପରାମର୍ଶ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ରାଜ୍ୟରେ ଟ୍ରିପଲ ଲକ୍‌ଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ଯେଉଁଠାରେ ପ୍ରତି ୧୦୦୦ ଜନସଂଖ୍ୟାରେ ଗୋଟିଏ ସପ୍ତାହ ମଧ୍ୟରେ ୧୦ଜଣ କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେଠାରେ ଟ୍ରିପଲ ଲକ୍‌ଡାଉନ ଲାଗୁ କରାଯିବ। ଏହି ଆଧାରରେ ଏଣିକି ସପ୍ତାହକୁ ୬ଦିନ ଦୋକାନ ବଜାର ସକାଳ ୭ଟାରୁ ରାତି ୯ଟା ଯାଏ ଖୋଲିବ। ଏତଦ୍‌ ବ୍ୟତୀତ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଓ ଅଗଷ୍ଟ ୨୨ରେ ଓନାମ ଥିବାରୁ ଉକ୍ତ ଦିନ ଲକ୍‌ଡାଉନ ଲାଗୁ ହେବ ନାହିଁ। ଉକ୍ତ ୨ ଦିନ ରବିବାର ପଡ଼ୁଛି। ସେହିପରି ବିବାହ କିମ୍ବା ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପୂର୍ବଭଳି କେବଳ ୨୦ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର। ସୂଚନାଯୋଗ୍ୟ, ମଙ୍ଗଳବାର କେରଳରେ ୨୩,୬୭୬ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪.୪୯ଲକ୍ଷରେ ପହଞ୍ଚିଛି। ସେହିପରି ମଙ୍ଗଳବାର ରାଜ୍ୟରେ କରୋନାଜନିତ ୧୪୮ଜଣଙ୍କ ମୃତ୍ୟୁ ହେବା ପରେ ମୋଟ ମୃତ୍ୟୁସଂଖ୍ୟା ୧୭,୧୦୩କୁ ବୃଦ୍ଧି ପାଇଛି।

Share