ଭାଲେଣ୍ଟାଇନ୍ସ ଡେ’ରେ ସ୍ବାମୀଙ୍କୁ ଲିଭର ଉପହାର ଦେଲେ ପତ୍ନୀ

ଥିରୁଭାନନ୍ତପୁରମ,୧୫।୨: ପ୍ରେମର ପ୍ରତୀକ ଭାବେ ଭାଲେଣ୍ଟାଇନ୍ସ ଡେ’କୁ ଜଣାଯାଏ। ପ୍ରେମୀଯୁଗଳମାନେ ଏହି ଦିନକୁ ବେଶ୍‌ ଉଲ୍ଲାସ ସହ ପାଳନ କରିବା ସହ ନିଜର ମନର ଭାବନାକୁ ପରିପ୍ରକାଶ କରିଥାନ୍ତି। କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର ଭାବନାକୁ ପରିପ୍ରକାଶ କରିଥାନ୍ତି। କିନ୍ତୁ ଭାଲେଣ୍ଟାଇନ୍ସ ଡେ’ କେରଳର ଜଣେ ମହିଳା ନିଜ ସ୍ବାମୀଙ୍କୁ ଏକ ନିଆରା ଉପହାର ଦେଇଛନ୍ତି। ଯାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। କେରଳର କୋଟାୟାମରେ ଜଣେ ପତ୍ନୀ ଭାଲେଣ୍ଟାଇନ୍ସ ଡେ’ରେ ନିଜ ସ୍ବାମୀଙ୍କୁ ଲିଭର ଦାନ କରି ପ୍ରକୃତ ପ୍ରେମର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରୀ ହସ୍ପିଟାଲରେ ଏହା ରାଜ୍ୟର ଦ୍ୱିତୀୟ ଥର ଲିଭର ପ୍ରତିରୋପଣ କରାଯାଇଛି। ସୂଚନା ମୁତାବକ କୁନ୍ନାମକୁଲମର ଭେଲୁର କୋଟାପାଡିରେ ରହୁଥିବା ୩୯ବର୍ଷୀୟ ପ୍ରବିଜ୍ଞା ୪୩ବର୍ଷୀୟ ସ୍ବାମୀ ସୁବିଶଙ୍କୁ ଲିଭର ଦାନ କରିଛନ୍ତି। କୋଟ୍ଟୟମ ମେଡିକାଲ କଲେଜରେ ସୋମବାର ସକାଳ ୬ଟାରେ ଏହି ସର୍ଜରୀ ଆରମ୍ଭ ହୋଇଥିବା ବେଳେ ଏହା ପ୍ରାୟ ୧୭ ଘଣ୍ଟା ଧରି ଚାଲିଥିଲା। ସର୍ଜରୀର ପ୍ରଥମ ପର୍ଯ୍ୟାୟ ସନ୍ଧ୍ୟା ୫ଟାରେ ଶେଷ ହୋଇଥିବା ବେଳେ ପୁଣିଥରେ ସାଢ଼େ ୫ଟାରୁ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୫ଘଣ୍ଟା ଧରି ଏହି ଅପ୍‌ରେସନ ଚାଲିଥିଲା। ତେବେ ଡକ୍ଟର ଆର.ଏସ୍‌ ସିନ୍ଧୁଙ୍କ ନେତୃତ୍ୱରେ ୯ଜଣ ଟେକ୍ନିସିଆନଙ୍କ ସହାୟତାରେ ଅନ୍ୟ ୨୯ଜଣ ଡାକ୍ତରଙ୍କ ଏକ ଟିମ ଦ୍ୱାରା ଏହି ଅପରେସନ ସଫଳ ହୋଇଥିଲା। ଏବେ ବି ସୁବିଶ ଭେଣ୍ଟିଲେଟରରେ ଥିବା ବେଳେ ଆଗାମୀ ୪୮ଘଣ୍ଟା ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ କେରଳର ଅଙ୍ଗ ପ୍ରତିରୋପଣ ସର୍ଜରୀ କ୍ଷେତ୍ରରେ ଏହା ଏକ ବଡ଼ ମାଇଲଖୁଣ୍ଟ ବୋଲି କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି।

Share