Categories: ଜାତୀୟ

ସଂକ୍ରମଣର ୫୦% କେରଳରେ

ନୂଆଦିଲ୍ଲୀ, ୨୮।୭: ଭାରତରେ ବୁଧବାର ସକାଳ ସୁଦ୍ଧା ଗୋଟିଏ ଦିନରେ ୪୩,୬୫୪ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୪,୮୪,୬୦୫ରେ ପହଞ୍ଚତ୍ଛି। ସେହିପରି ୨୪ ଘଣ୍ଟାରେ ୬୪୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ କୋଭିଡ୍‌ ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୨୨,୦୨୨ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ତେବେ ଦେଶରେ ମୋଟ ସଂକ୍ରମଣର ୫୦ ପ୍ରତିଶତ କେବଳ କେରଳରେ ଦେଖାଯାଇଛି, ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗତ ୪ ସପ୍ତାହ ହେଲା କେରଳରେ ସଂକ୍ରମଣ ବଢ଼ିଚାଲିଛି। ଜୁନ୍‌ ୨୮ରୁ କେରଳର କୋଟ୍ଟାୟାମରେ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ମାଲାପୁରରମରେ ୫୯ ପ୍ରତିଶତ, ଏର୍ନାକୁଲମରେ ୪୬୫ ପ୍ରତିଶତ ଏବଂ ତ୍ରିଶୁର୍‌ରେ ସଂକ୍ରମଣ ୪୫.୪ ପ୍ରତିଶତ ବଢ଼ିଛି। କେରଳ ଗସ୍ତରେ ଯାଇଥିବା କେନ୍ଦ୍ରୀୟ ଟିମ୍‌ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ସଚିବ ରାଜେଶ ଭୂଷଣ କେରଳ ସରକାରଙ୍କୁ ପତ୍ର ଲେଖି କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ କୋଭିଡ୍‌ କଟକଣା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଛନ୍ତି।

Share