Categories: ଜାତୀୟ

ଦେଢ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ହତ୍ୟା କରିଥିବା ମିଛ କହିଲେ ସ୍ତ୍ରୀ; ପରେ ଘଟିଲା ଏମିତି…

ଥିରୁଭାନନ୍ତପୁରମ୍‌,୩।୮: କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗତ ଦେଢ ବର୍ଷ ଧରି ନିଖୋଜ ଥିଲେ। ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ପରେ ଉକ୍ତ ବ୍ୟକ୍ତି ଜଣକ କୁଆଡେ ପଳାଇଥିଲେ। ଏହି କାରଣରୁ ପୋଲିସ ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରିଥିଲା। ସ୍ବାମୀ ନିଖୋଜର ଦେଢ ବର୍ଷ ପରେ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଥିଲା। କୌତୁହଳର ବିଷୟ ହେଉଛି ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ମାତ୍ରେ ତାାଙ୍କ ସ୍ବାମୀ ଜୀବନ୍ତ ଫେରି ଆସିଥିଲେ। ବର୍ତ୍ତମାନ ଏହି ଖବର ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ଆଫସାନା ତାଙ୍କ ସ୍ବାମୀ ନୌଶାଦଙ୍କ ସହ ପଠାନମିତ୍ର ଜିଲା ଅନ୍ତର୍ଗତ କାଲାନଜୁରରେ ରହୁଥିଲେ। ନଭେମ୍ବର ୨୦୨୧ରେ, ଉଭୟଙ୍କ ମଧ୍ୟରେ କିଛି ବିଷୟରେ ଝଗଡା ହୋଇଥିଲା। ଏହା ପରେ ନୌଶାଦ ଘରୁ ପଳାଇ ଯାଇଥିଲେ। ଏହା ପରେ ନୌଶାଦଙ୍କ ନିଖୋଜ ରିପୋର୍ଟ ପୋଲିସ ନିକଟରେ ଦାଖଲ କରାଯାଇଥିଲା। ଆଫସାନାକୁ ପଚରାଉଚରା କରିବେଳେ ତାଙ୍କ କଥାବାର୍ତ୍ତା ପୋଲିସକୁ ସନ୍ଦେହ କରିଥିଲା। ଏହା ପରେ ପୋଲିସ ଆଫସାନାକୁ କଡା ପ୍ରଶ୍ନ କରିଥିଲା, ତା’ପରେ ଆଫସାନା ଗତ ଜୁଲାଇ ୨୭ରେ ନୌଶାଦଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଏହା ପରେ ପୋଲିସ ଆଫସାନାକୁ ଗିରଫ କରିଥିଲା।
ଆଶ୍ଚର୍ଯ୍ୟର କଥା ଆଫସାନାକୁ ଗିରଫ କରିବା ମାତ୍ରେ ତାଙ୍କ ସ୍ବାମୀ ନୌଶାଦଙ୍କୁ ପୋଲିସ ଜୀବନ୍ତ ପାଇଥିଲା। ନୌଶାଦ ତାଙ୍କ ଘରୁ ୧୩୦ କିଲୋମିଟର ଦୂରରେ ଥିବା ଏକ ଫାର୍ମରେ ଦୈନିକ ମଜୁରୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଖବରକାଗଜରେ ନୌଶାଦ ଏବଂ ଆଫସାନା ଖବର ପ୍ରକାଶ ପାଇଲା, କେହି ଜଣେ ନୌଶାଦଙ୍କୁ ଚିହ୍ନି ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ନୌଶାଦଙ୍କୁ ସେଠୁ ଆଣିଥିଲା।
ନୌଶାଦ କହିଛନ୍ତି ଯେ, ଝଗଡା ବେଳେ ତାଙ୍କ ଆଫସାନା ବନ୍ଧୁ ଓ ପରିଚିତମାନେ ତାଙ୍କୁ ମାରପିଟ୍‌ କରିଥିଲେ। ଭୟ ହେତୁ ନୌଶାଦ ଘରୁ ପଳାଇ ଯାଇଥିଲେ। ସ୍ତ୍ରୀଙ୍କ ବନ୍ଧୁମାନେ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ସେ ଭୟ କରିଥିଲେ। ସେଥିପାଇଁ ନୌଶାଦ କେବେ ମଧ୍ୟ ତାଙ୍କ ଘରକୁ ଫେରି ନ ଥିଲେ କିମ୍ବା ସେ କୌଣସି ସମ୍ପର୍କୀୟ କିମ୍ବା ପରିବାର ସହିତ ଯୋଗାଯୋଗ କରି ନ ଥିଲେ। ମଜୁରୀ ଶ୍ରମିକ ଭାବରେ କାମ କରି ରୋଜଗାର କରୁଥିଲେ। ଆଫସାନା ଏବଂ ତାଙ୍କ ମାମଲା ବିଷୟରେ ସେ କିଛି ଜାଣି ନ ଥିବା କହିଛନ୍ତି।
ନୌଶାଦ ଜୀବନ୍ତ ମିଳିବା ପରେ ପୋଲିସ ଆଫସାନାକୁ ଜାମିନରେ ଛାଡି ଦେଇଛି। ଜାମିନରେ ମୁକ୍ତ ହେବା ପରେ ଆଫସାନା କହିଛନ୍ତି ଯେ, କୁଦାଲ ପୋଲିସ ତାଙ୍କୁ ଏତେ ନିର୍ଯାତନା ଦେଇଥିଲା ଯେ, ସେ ନୌଶାଦଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ।

Share