Categories: ଜାତୀୟ

କେରଳ ରାଜସ୍ବର ଦୁଇଟି ମୁଖ୍ୟ ଉତ୍ସ ଲଟେରୀ-ମଦ, ରାଜ୍ୟମୁଖ୍ୟ ଭାବେ ମୁଁ ଲଜ୍ଜିତ: ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୨୨।୧୦ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର କହିଛନ୍ତି ଯେ ଡ୍ରଗ୍ସ ରାଜଧାନୀ ପାଲଟିଥିବା ପଞ୍ଜାବର ସ୍ଥାନ ଏବେ କେରଳ ନେବାକୁ ଯାଉଛି। ଖାନ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଭାବେ ଏନେଇ ସେ ଲଜ୍ଜିତ ଅନୁଭବ କରୁଛନ୍ତି ଯେ କେରଳ ରାଜସ୍ବର ଦୁଇଟି ମୁଖ୍ୟ ଉତ୍ସ ହେଉଛି ଲଟେରୀ ଏବଂ ମଦ।

ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ଶାସକ ବାମପନ୍ଥୀ ସରକାରଙ୍କ ସହ ଜାରି ରହିଥିବା ବିବାଦ ମଧ୍ୟରେ ଖାନ କହିଛନ୍ତି ଯେ ସବୁ ସ୍ଥାନରେ ମଦ୍ୟପାନ ବିରୁଦ୍ଧରେ ଏକ ଅଭିଯାନ ଚାଲିଥିବାବେଳେ ଏହାକୁ କେରଳରେ ଉତ୍ସାହିତ କରାଯାଉଛି।

ରାଜ୍ୟପାଳ କହିଛନ୍ତି, ଏଠାରେ ଆମେ ସ୍ଥିର କରିଛୁ ଯେ ଲଟେରୀ ଏବଂ ମଦ ଆମ ବିକାଶ ପାଇଁ ଯଥେଷ୍ଟ। ୧୦୦ ପ୍ରତିଶତ ସାକ୍ଷରତା ଥିବା ରାଜ୍ୟର ଏ କି ଲଜ୍ଜାଜନକ ଅବସ୍ଥା ବୋଲି ସେ ପ୍ରଶ୍ନ କରିଛନ୍ତି। ଲଟେରୀ କ’ଣ? ଆପଣ ଏଠାରେ ବସିଛନ୍ତି, ଆପଣଙ୍କ ମଧ୍ୟରୁ କେହି ଲଟେରୀ ଟିକେଟ କିଣିଛନ୍ତି କି? କେବଳ ଗରିବ ଲୋକ ଲଟେରୀ ଟିକେଟ କିଣୁଛନ୍ତି। ଆପଣ ସେମାନଙ୍କୁ ଲୁଟ କରୁଛନ୍ତି। ଆପଣ ନିଜ ଲୋକଙ୍କୁ ମଦ୍ୟାସକ୍ତ କରାଉଛନ୍ତି। ଏହା କେତେଦୂର ଯୁକ୍ତି ଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।

Share