ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ (ସିଜେଏମ୍) ବିଷ୍ଣୁପ୍ରସାଦ ମିଶ୍ର ଏକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ହୋଇଥିବା କିରୋସିନ ହେରଫେର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ସେ ତତ୍କାଳୀନ ଫୁଲବାଣୀ ଜିଲା ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ସରପଞ୍ଚ ଓ ଭିଏଲଡବ୍ଲ୍ୟୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସରପଞ୍ଚ ବିଭୀଷଣ ମଲିକ(୬୨) ଓ ଭିଏଲ୍ଡବ୍ଲ୍ୟୁ ଚନ୍ଦ୍ରକାନ୍ତ ବେହେରା(୫୪)। ସିଜେଏମ୍ ଉଭୟ ଅଭିଯୁକ୍ତଙ୍କୁ ଏକ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ପ୍ରତ୍ୟେକେ ୧ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟେ ଅତିରିକ୍ତ ୧ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ ରାୟ ଦେଇଛନ୍ତି। ଚନ୍ଦ୍ରକାନ୍ତ ବେହେରା ବର୍ତ୍ତମାନ କନ୍ଧମାଳ ଜିଲା ପଣ୍ଡାଙ୍ଗି ବ୍ଲକରେ ଭିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁଯାୟୀ, ଫୁଲବାଣୀ ଜିଲାର ଆଲାମୀ ପଞ୍ଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିରୋସିନ ଯୋଗାଣ ହୋଇଥିଲା। ଏଥିରେ ବ୍ୟାପକ ହେରଫେର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ୨୦୦୯ ଜୁଲାଇ ୨୨ରେ ଭିଜିଲାନ୍ସ ଟିମ୍ ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ କିରାସିନ ଡିପୋରେ ଚଢ଼ାଉ କରି ଯାଞ୍ଚ କରିଥିଲା। ପଞ୍ଚାୟତ ପାଇଁ ଯୋଗାଣ ହୋଇଥିବା କିରୋସିନ ଷ୍ଟକ ଭିଜିଲାନ୍ସ ଟିମ୍ ଯାଞ୍ଚ କରିଥିଲା। ଯୋଗାଣ ହୋଇଥିବା କିରୋସିନ ଷ୍ଟକ୍ରେ ୫୬୧ ଲିଟର କମ୍ ରହିଥିବା ଜଣାପଡିଥିଲା। ଭିଜିଲାନ୍ସ ବିଭାଗ ମାମଲା ନମ୍ବର ୨୫/୦୯ ରେ ଉକ୍ତ ପଞ୍ଚାୟତ ସରପଞ୍ଚ ବିଭୀଷଣ ମଲିକ ଓ ଭିଏଲଡବ୍ଲ୍ୟୁ ଚନ୍ଦ୍ରକାନ୍ତ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଜାମିନ ମିଳିଥିଲା। ଶନିବାର ଏହି ମାମଲାର ବିଚାର ବେଳେ ସରପଞ୍ଚ ବିଭୀଷଣ ଓ ଭିଏଲଡବ୍ଲ୍ୟୁ ଚନ୍ଦ୍ରକାନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସିଜେଏମ୍ ଉପରୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରାଜେନ୍ଦ୍ର ସାବତ ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ସୁଧାଂଶୁ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।