ଲକ୍ଷ୍ନୌ,୨୭।୮: ଉତ୍ତରପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଆଜିକାଲି ରାଜନୈତିକ ବାକ୍ଯୁଦ୍ଧ ଚାଲିଛି। ଏହି କ୍ରମରେ ଘୋସି ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଦାରା ସିଂ ଚୌହାନଙ୍କୁ ସମର୍ଥନ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଆସିଥିବା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଅଖିଳେଶଙ୍କୁ ନାଗ ସାପ ସହିତ ତୁଳନା କରିଛନ୍ତି।
ମୌର୍ଯ୍ୟ କହିଛନ୍ତି, ଘୋସି ଉପନିର୍ବାଚନ କେବଳ ୨୦୨୪ ପାଇଁ ନୁହେଁ, ୨୦୨୭ ୟୁପି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଶଙ୍ଖନାଦ। ଏହାସହ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ଶଙ୍ଖନାଦ। ଜନସାଧାରଣଙ୍କ ସ୍ବର ଭାଜପା ସପକ୍ଷରେ ଅଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଘୋସିରେ ପଦ୍ମ ଫୁଟିବ। ଏସପିରେ ଗୁଣ୍ଡା ଏବଂ ମାଫିଆ ଥିବାରୁ ବିଧାୟକ ଦାରା ସିଂ ଚୌହାନ ସେହି ଦଳରୁ ଇସ୍ତଫା ଦେଇଥିଲେ। ଅଖିଳେଶ ନାଗ ସାପ ସଦୃଶ। ତେଣୁ ଭାଜପା ହେଉଛି ବର୍ତ୍ତମାନ ଏବଂ ଭାଜପା ହେଉଛି ଭବିଷ୍ୟତ।